ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ଯୋଗାଇ ଦିଆଯିବ ଖାଦ୍ୟ ସୁରକ୍ଷା

ଭୁବନେଶ୍ୱର: ଓଡ଼ିଶାକୁ ଫେରୁଥିବା ସବୁ ଯୋଗ୍ୟ ଶ୍ରମିକମାନେ ଯେପରି ଖାଦ୍ୟ ସୁରକ୍ଷାରରୁ ବଞ୍ଚିତ ନ ହୁଅନ୍ତି, ତାହା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଛନ୍ତି । ଏନଏଫଏସଏ/ଏସଏଫଏସଏ ରାସନକାର୍ଡ ଥାଉ ବା ନଥାଉ, ଏହି ଶ୍ରମିକ ଓ ତାଙ୍କ ପରିବାର ଯେପରି ରାସନ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥି ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ-୧୯ ସଂକ୍ରାମକ ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନଙ୍କ ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ କୋଭିଡ-୧୯ ନିୟନ୍ତ୍ରଣ ଦାୟିତ୍ୱ ହିଁ ହେଉଛି ବରିଷ୍ଠ ଅଧିକାରୀମାନଙ୍କ ମୁଖ୍ୟ ଦାୟିତ୍ୱ । ଏହା ଅତିରିକ୍ତ ଦାୟିତ୍ୱ ନୁହେଁ । ତେଣୁ ଏଥି ପ୍ରତି ବିଶେଷ ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଆଗାମୀ ୮ରୁ ୧୦ ଦିନର ଦୃଶ୍ୟପଟ୍ଟକୁ ସାମ୍ନାରେ ରଖି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଗ୍ରାମାପଞ୍ଚାୟତସ୍ତରରେ ଏଥି ପାଇଁ ଅଧିକ ସୁବିଧା ସୁଯୋଗର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଓଡ଼ିଶା ଫେରିବାକୁ ଥିବା ଶ୍ରମିକମାନଙ୍କ ନିମନ୍ତେ ଗ୍ରାମପଞ୍ଚାୟତ ସ୍ତରରେ କ୍ୱାରେଣ୍ଟାଇନ ତଥା ଅନ୍ୟାନ୍ୟ ସୁବିଧାକୁ ପ୍ରାଥମିକତା ଦେବା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏନଆରଇଜିଏସକୁ ଲକ୍ଷ୍ୟ ଭିତ୍ତିକ କରିବା ସହ ଏହା ଜରିଆରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ୫ ଲକ୍ଷ ମାନବ ଦିବସକୁ ୨ ଗୁଣ କରି ଆଗାମୀ ସପ୍ତାହ ସୁଦ୍ଧା ଦୈନିକ ଲକ୍ଷ ମାନବ ଦିବସକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜଙ୍ଗଲ ବିଭାଗ ତୁରନ୍ତ ଶ୍ରମ ଭିତ୍ତିକ କାର୍ଯ୍ୟ ଆରମ୍ଭ କରିବା ସହିତ କେନ୍ଦୁପତ୍ର କର୍ମଚାରୀମାନଙ୍କ ଜୀବନଜୀବିକା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କୋଭିଡ-୧୯ କାର୍ଯ୍ୟରେ ମୁତୟନ ହୋଇଥିବା ସମସ୍ତ କର୍ମଚାରୀ ହେଉଛନ୍ତି ଜଣେ ଜଣେ ଯୋଦ୍ଧା । ତେଣୁ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କର୍ମୀ, ପୁଲିସ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ତଥା ଅନ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ବିଷୟରେ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଆଗାମୀ ଦିନରେ ରାଜ୍ୟ ବାହାରୁ ଅନେକ ଶ୍ରମିକ ଫେରିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଯେପରି ବହୁ ପରିମାଣରେ ନମୁନା ଶୀଘ୍ର ପରୀକ୍ଷା କରାଯାଇପାରିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି । ସେଥିପାଇଁ ଆଇସିଏମଆର ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଘରୋଇ ପରୀକ୍ଷାଗାର ବ୍ୟବହାର କରିବା ଏବଂ ନମୁନା ପରୀକ୍ଷଣକୁ ୧୫ ହଜାରକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏକ ଏକ ଭିଡିଓ ବାର୍ତ୍ତା ଆଲୋଚନାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର, ପୁଲିସ ମହାନିର୍ଦ୍ଦେଶକ ଅଭୟ, ସ୍ୱାସ୍ଥ୍ୟ ବିଭାଗ ଦ୍ୱାୟିତ୍ୱ ବିଭାଗରେ ଥିବା କୃଷି ଉତ୍ପାଦନ କମିସନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ଏବଂ ବିଭିନ୍ନ ଜିଲ୍ଲାର ଦ୍ୱାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ଥିଲେ ।