ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ରାୟକୁ ସ୍ଥଗିତ ରଖିଛନ୍ତି। ଏହି ରାୟ ଆସନ୍ତା ମାର୍ଚ୍ଚ ୩୦ ତାରିଖ ଦିନ ପ୍ରକାଶ ପାଇବ ବୋଲି ଟ୍ରିବ୍ୟୁନାଲ୍ କହିଛନ୍ତି। ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଏ.ଏମ୍.ଖାନ୍ଓ୍ଵିଲକର, ଜଷ୍ଟିସ୍ ରବିରଞ୍ଜନ ଏବଂ ଜଷ୍ଟିସ୍ ଇନ୍ଦରମିତ୍ କୌରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯେହେତୁ ଓଡ଼ିଶା ଏବଂ ଛତିଶଗଡ଼ ଏହି ବିବାଦର ସମାଧାନ ଆପୋସ ଆଲୋଚନା ଜରିଆରେ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ଆମେ ଏଥିଲାଗି ଆଉ ଏକ ସୁଯୋଗ ଦେଇ ଏଇ ମାମଲାର ରାୟ ଆସନ୍ତା ମାର୍ଚ୍ଚ ୩୦ରେ ପ୍ରକାଶ କରିବୁ। ମାମଲାର ଶୁଣାଣି ସମୟରେ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ପ୍ରତିନିଧିତ୍ୱ କରୁଥିବା ଓକିଲ୍ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଥିଲେ କି ଦୁଇ ପକ୍ଷ ମଧ୍ୟରେ ବୈଷୟିକ ଓ ଆଧିକାରିକସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଏହାପରେ ଦୁଇ ରାଜ୍ୟର ଆଡଭୋକେଟ୍ ଜେନେରାଲ୍ଙ୍କ ନେତୃତ୍ୱରେ ଦୁଇ ପକ୍ଷର ଆଇନଜୀବୀ ବସି ଆପୋଷ ଆଲୋଚନା କରି ବିବାଦର ସମାଧାନ ରାସ୍ତା ବାହାର କରନ୍ତୁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଲୋଚନା ଏକ ସପ୍ତାହ ମଧ୍ୟରେ ଶେଷ କରି ରିପୋର୍ଟ ଦେବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି।