ମନରେଗା କାମ କରୁଥିବାବେଳେ ମାଟି ଧସି ୧୦ ମହିଳା ଶ୍ରମିକ ମୃତ

ତେଲେଙ୍ଗାନାର ନାରାଣୟପେଟ ଜିଲ୍ଲାର ମାରିକ୍କଲ ବ୍ଲକରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ନିଯୁକ୍ତି ଯୋଜନା (ମନରେଗା) ଅଧିନରେ ଏକ ମାଟି ଖନନ କାର୍ଯ୍ୟ କରୁଥିବାବେଳେ ମାଟି ଧସିବା ଫଳରେ ୧୦ ଜଣ ମହିଳା ଶ୍ରମିକ ପୋତି ହୋଇ ମୃତ୍ୟୁବରଣ କରିଛନ୍ତି ।

ମରିକ୍କଲ ପୁଲିସ କହିଛି ଯେ ମାରିକ୍କଲ ବ୍ଲକର ତିଲେରୁ ଗାଁରେ ଏକ ଜଳସେଚନ କେନାଲ ଖୋଳାଯାଉଥିବାବେଳେ ଏହି ଅଘଟଣ ଘଟିଛି । ଏହି କାମରେ ପ୍ରାୟ ୧୦୦ରୁ ଅଧିକ ଶ୍ରମିକ ନିୟୋଜିତ ଥିଲେ । ପ୍ରବଳ ଖରା ଯୋଗୁଁ କେତେକ ଶ୍ରମିକ ମାଟିତଳେ ଛାଇରେ ବିଶ୍ରାମ ନେଉଥିବାବେଳେ ମାଟି ସେମାନଙ୍କ ଉପରେ ଖସିପଡିଥିଲା । ସ୍ଥାନୀୟ ପ୍ରଶାସନ ଓ ଗାଁ ଲୋକଙ୍କ ସହାୟତାରେ ୧୦ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଘଟଣାରେ ଆହତ ଶ୍ରମିକ ମାନେ ଚିକିତ୍ସିତ ହେଉଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।