ମଝି ଆକାଶରେ ଛିଡ଼ିଲା ରୋପୱେ; ୫୦୦ ଫୁଟ୍ ଉପରେ ୩୦ ଘଣ୍ଟାରୁ ଅଧିକ ସମୟ ଫସିରହିଲେ ପର୍ଯ୍ୟଟକ

ମଝି ଆକାଶରେ ଛିଡ଼ିଲା ରୋପୱେ। ୫୦୦ ଫୁଟ୍ ଉପରେ ଫସିରହିଲେ ୪୮ ପର୍ଯ୍ୟଟକ। ଝାଡ଼ଖଣ୍ଡ ତ୍ରିକୂଟ ପର୍ବତରେ ରୋପୱେ ଯାତ୍ରା ସମୟରେ ପର୍ଯ୍ୟଟକଙ୍କ ସହ ଘଟିଲା ବଡ଼ ଦୁର୍ଘଟଣା । ମଝି ଆକାଶରେ ରୋପୱେ ଛିଡ଼ିବାରୁ ପ୍ରାୟ ୩୦ ଘଣ୍ଟାରୁ ଅଧିକ ସମୟ ଫସିରହିଲେ ପର୍ଯ୍ୟଟକ । ଝାଡ଼ଖଣ୍ଡ ଦେବଘର ଜିଲ୍ଲାର ବାବା ବୈଦ୍ୟନାଥ ମନ୍ଦିର ନିକଟରେ ତ୍ରିକୂଟ ପାହାଡ଼ରେ ୧୨ଟି ରୋପୱେ ଟ୍ରଲି ପରସ୍ପର ସହ ଧକ୍କ୍ା ହୋଇଯାଇଥିଲେ ।

ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥବାବେଳେ ୧୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ରୋପୱେରେ ୪୮ ଜଣ ପର୍ଯ୍ୟଟକ ଫସିରହିଥିଲେ । ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବାବେଳେ ରାତିରେ ଉଚ୍ଚତା ଏବଂ ଅନ୍ଧାର କାରଣରୁ ରେସ୍କ୍ୟୁ ଅପରେସନ ହୋଇପାରିନଥିଲା । ଫଳରେ ରାତି ସାରା ସେହିଭଳି ଅବସ୍ଥାରେ ମରଣ ସହ ଲଢ଼ୁଥିଲେ ଫସିରହିଥିବା ପର୍ଯ୍ୟଟକ ।

ଏହାପରେ ସୋମବାର ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ବାୟୁସେନାର ଦୁଇଟି ଏମଆଇ-୧୭, ଆଇଟିବିପି ଏନଡିଆରଏଫ୍ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । ହେଲିକପ୍ଟର ସାହାଯ୍ୟରେ ଫସିଥିବା ଲୋକଙ୍କୁ ବାହାର କରିବା ପାଇଁ ଚେଷ୍ଟା ଜାରି ରହିଛି । ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ । ହେଲିକପ୍ଟର ସାହାଯ୍ୟରେ ଫସିରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଉଛି ଏହା ସହ ସେମାନଙ୍କୁ ଖାଦ୍ୟ ମଧ୍ୟ ଦିଆଯାଉଛି ।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ରାମନବମୀ ଅବସରରେ ଝାଡ଼ଖଣ୍ଡ ଦେବଘର ସ୍ଥିତ ତ୍ରିକୂଟ ପର୍ବତକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ ଏବଂ ରୋପୱେର ମଜା ନେଉଥିଲେ ଏହାରି ମଧ୍ୟରେ ରୋପୱେର ଏକ ତାର ଛିଡ଼ି ଯାଇଥିଲା ଏବଂ ଏହା ଯୋଗୁଁ ଏକ ଟ୍ରଲୀ ତଳକୁ ଖସିଥିଲା ଫଳରେ ଚାରି-ପାଞ୍ଚଟି ତାର ପରସ୍ପର ସହ ଛନ୍ଦି ହୋଇଯାଇଥିଲା । ଏହି ଘଟଣାରେ ଦୁଇ ଜଣକର ମୃତ୍ୟୁ ହୋଇଥିଲା ।