ଭାରତକୁ ପଶିଲା ନୂଆ XE ଭ୍ୟାରିଏଣ୍ଟ; ମୁମ୍ବାଇରୁ ପ୍ରଥମ ମାମଲା ଚିହ୍ନଟ

ଯାହା ଆଶଙ୍କା କରାଯାଉଥିଲା ଶେଷରେ ସେଇୟା ହେଲା। ଭାରତକୁ ବି ଆସିଲା ଭୟଙ୍କର ଭୂତାଣ କରୋନାର ନୂଆ XE ଭ୍ୟାରିଏଣ୍ଟ। ମୁମ୍ବାଇରୁ ଦେଶରେ ପ୍ରଥମ ଏକ୍ସଇ ଭ୍ୟାରିଏଣ୍ଟ ମାମଲା ଚିହ୍ନଟ ହୋଇଛି।

ଭୟଙ୍କର ଏକ୍ସଇ ଭ୍ୟାରିଏଣ୍ଟ ପ୍ରଥମେ ବ୍ରିଟେନରେ ଚିହ୍ନଟ କରାଯାଇଥିଲା। ଏପର୍ଯ୍ୟନ୍ତ କରୋନାର ଯେତେ ଭ୍ୟାରିଏଣ୍ଟ ବାହାରିଛନ୍ତି, ଏହା ସବୁଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି।

ଅନ୍ୟ ଭ୍ୟାରିଏଣ୍ଟ ତୁଳନାରେ ଏହା ପାଖାପାଖି ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଏକ୍ସଇ ଓମିକ୍ରନର ସବ୍‌ ଭ୍ୟାରିଏଣ୍ଟ ବି.୧ ବି.୨ର ରୂପାନ୍ତିରିତ ରୂପ।

ମୁମ୍ବାଇରେ ନୂଆ ଏକ୍ସଇ ଭ୍ୟାରିଏଣ୍ଟ ଚିହ୍ନଟ ହେବା ନେଇ ନୂଆ ସେରୋ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। କେବଳ ଏକ୍ସଇ ଭ୍ୟାରିଏଣ୍ଟ ନୁହେଁ, କପ୍ପା ଭ୍ୟାରିଏଣ୍ଟର ମାମଲା ବି ଚିହ୍ନଟ ହୋଇଛି। ସେରେ ସର୍ଭେ ପାଇଁ ପଠାଯାଇଥିବା ୨୩୦ ରୋଗୀଙ୍କ ମଧ୍ୟରୁ ୨୧ ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ କାହାରି ଅବସ୍ଥା ଗୁରୁତର ହୋଇ ନାହିଁ କି ଅକ୍ସିଜେନ୍‌ର ସପୋର୍ଟର ଆବଶ୍ୟକତା ପଡ଼ି ନାହିଁ ବୋଲି କୁହାଯାଇଛି।

ପ୍ରକାଶିତ ରିପୋର୍ଟ ଅନୁସାରେ, ୨୩୦ରୁ ୨୨୮ ସାମ୍ପଲ ଓମିକ୍ରନ ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା। ସେଥିମଧ୍ୟରୁ ଜଣଙ୍କ ଠାରେ ଏକ୍ସି ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିଲା। ଅନ୍ୟମାନେ ସମସ୍ତେ କାପ୍ପା ଭ୍ୟାରିଏଣ୍ଟରେ ପଜିଟିଭ୍ ହୋଇଛନ୍ତି।

ନୂତନ ଭାବେ ଚିହ୍ନଟ ହୋଇଥିବା XE ଭ୍ୟାରିଏଣ୍ଟ ଓମିକ୍ରନ ସବ ଭ୍ୟାରିଏଣ୍ଟ BA.1 ଓ BA.2ର ମ୍ୟୁଟେସନ। ଏହାର ସଂକ୍ରାମକ ଗତି BA.2 ଠାରୁ ୯.୮ ପ୍ରତିଶତ ଅଧିକ। ନୂଆ ଭ୍ୟାରିଏଣ୍ଟକୁ ସହଜରେ ଚିହ୍ନଟ କରାଯାଇପାରୁ ନଥିବାରୁ ଏହାକୁ ଷ୍ଟିଲ୍ଥ ଭ୍ୟାରିଏଣ୍ଟ(ଲୁଚି ରହୁଥିବା) ବୋଲି ବି କୁହାଯାଉଛି ବୋଲି ୟୁକେ ସ୍ୱାସ୍ଥ୍ୟ ଏଜେନ୍ସି UKHSCA କହିଛି।

ୟୁକେରେ ପ୍ରଥମେ ଜାନୁଆରୀ ୧୯ ତାରିଖରେ XE ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିଲା। XE ଭ୍ୟାରିଏଣ୍ଟ ସହି ବ୍ରିଟେନ୍‌ରେ ଆଉ ଦୁଇ ହାଇବ୍ରିଡି ଷ୍ଟ୍ରେନ XD ଓ XF ଚିହ୍ନଟ କରାଯାଇଛି। BA.1 ଓ ଫ୍ରେଞ୍ଚ ଡେଲ୍‌ଟା ଭ୍ୟାରିଏଣ୍ଟରୁ XD ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା ବେଳେ ୟୁକେ ଡେଲ୍‌ଟା ଓ BA.1ରୁ XF ଷ୍ଟ୍ରେନ ବିକଶିତ ହୋଇଛି ବୋଲି ସ୍ୱାସ୍ଥ୍ୟା ବିଭାଗ ସୂଚନା ଦେଇଛି।