ବେଶ ବଦଳାଇଲେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି

ନୂଆଦିଲ୍ଲୀ : ନୀରବ ମୋଦିଙ୍କୁ ଖୋଜୁଛି ଭାରତୀୟ ଯାଂଚ ଏଜେନ୍ସି । ହେଲେ ନୀରବ ମୋଦି ଏବେ ଏବେ ବେଶ ବଦଳାଇ ଲଂଡନରେ ବିନ୍ଦାସରେ ବୁଲୁଛି । ଲଣ୍ଡନର ରାଜରାସ୍ତାରେ ବୁଲୁଥିବା ବେଳେ ତାଙ୍କୁ ଠାବ କରିଥିଲେ ଇଂରାଜୀ ଖବର କାଗଜ ଟେଲିଗ୍ରାଫର ସାମ୍ୱାଦିକ । ନୀରବଙ୍କୁ ରାସ୍ତାରେ ବୁଲୁଥିବା ଦେଖିବା ପରେ, ସେ କ୍ୟାମେରାରେ କଏଦ୍ କରିଥିଲେ । କିଛି ପ୍ରଶ୍ନ ବି ପଚାରିଥିଲେ । ହେଲେ ଲଂଡନରେ ବିନ୍ଦାସ ବୁଲୁଥିବା ନୀରବ ମୋଦୀ କିଛି ବି ଜବାବ ଦେଇନଥିଲେ । ସବୁ ପ୍ରଶ୍ନର ଦେଇଥିଲେ ଗୋଟିଏ ଉତର, ନୋ କମେଂଟ । ଭାରତରୁ ପ୍ରାୟ ୧୩ ହଜାର କୋଟି ଟଂକାର ବ୍ୟାଙ୍କ ଋଣ ଘୋଟାଲା କରି ନୀରବ ମୋଦି ଫେରାର ହୋଇଯାଇଛି । ତେବେ ଏହି ପଳାତକ ହୀରା ବ୍ୟବସାୟୀ ଏବେ ବିଦେଶରେ ବେଶ୍ ନିଶ୍ଚିତରେ ବୁଲୁଥିବାର ପ୍ରଥମଥର ପାଇଁ କ୍ୟାମେରାରେ ଧରାପଡିଛି । ମୁହଁରେ ଦାଢୀ, ବିନ୍ଦାସ ଭାବେ ବୁଲୁଛନ୍ତି ପଳାତକ ବ୍ୟବସାୟୀ । ଏଥିରୁ ସ୍ପଷ୍ଟ ହେଉଛି ଭାରତୀୟ ଯାଂଚ ଏଜେନ୍ସି ତା ପଛରେ ପଡିଛି, ସେ ଏହାକୁ ନେଇ ବି ଚିନ୍ତିତ ନୁହଁନ୍ତି । ଟୋଟେନହାମ୍ କୋର୍ଟ ରୋଡ୍ ଠାରୁ କିଛି ଦୂରରେ ଥିବା ବିଳାସମୟ ନଭଶ୍ଚୁମ୍ଭୀ ଅଟ୍ଟାଳିକା ସେଣ୍ଟର୍ ପଏଣ୍ଟର ଗୋଟିଏ ମହଲାର ପ୍ରାୟ ଅଧା ଜାଗାବିଶିଷ୍ଟ ଗୋଟିଏ ତିନି ବେଡ୍ରୁମ୍ ଆପାର୍ଟମେଣ୍ଟ୍ରେ ନିରବ ମୋଦି ରହୁଛନ୍ତି । ନୀରବ ମୋଦିଙ୍କ ଆପାର୍ଟମେଣ୍ଟର ମୂଲ୍ୟ ୮ ମିଲିୟନ୍ ପାଉଣ୍ଡ୍ ଏବଂ ମାସିକ ଭଡ଼ା ୧୭, ୦୦୦ ପାଉଣ୍ଡ୍ । ଏହି ଆପାର୍ଟମେଣ୍ଟ୍ ଠାରୁ ଅଳ୍ପ ଦୂରରେ ସେ ଗୋଟାଏ ହୀରା ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିଛନ୍ତି । ନୀରବ ମୋଦି ବିରୋଧରେ ଭାରତ ସରକାର ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଛନ୍ତି । ଏହା ପରେ ଲଣ୍ଡନ ସରକାରଙ୍କୁ ତାର ପ୍ରତ୍ୟର୍ପଣ ନେଇ ଚିଠି ବି ଲେଖିଛନ୍ତି । ଦୁର୍ଭାଗ୍ୟର ବିଷୟ ଆଜି ଯାଏଁ ଏହାର କିଛି ଉତ୍ତର ଆସିନି ।ଭାରତର ସରକାରଙ୍କ ବାରମ୍ୱାର ନିବେଦନ ପରେ ବି  ଲଣ୍ଡନ ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି । ସୂଚନାଯୋଗ୍ୟ ଗତକାଲି ବ୍ୟବସାୟୀ ନୀରବ୍ ମୋଦୀଙ୍କ ଅଲ୍ଲୀବାଗରେ ଥିବା ବଙ୍ଗଳାକୁ ଭାଙ୍ଗି ଦିଆଯାଇଛି । ୫ ସେକେଣ୍ଡରେ ଧୂଳିସାତ୍ ହେଲା ୩୦ ହଜାର ସ୍କୋୟାର ଫୁଟର ବିଶାଲ ବିଲଡିଂ । ନବି ମୁମ୍ୱାଇର ଖିମଜୀ ବିଚରେ ଏହି ବିଲଡିଂକୁ ବେଆଇନ୍ ଭାବେ ନିର୍ମାଣ କରାଯାଇଥିଲା । ଯାହାକୁ ୧୦୦ କିଲୋ ବିସ୍ଫୋଟକ ସାହାଯ୍ୟରେ ଧ୍ୱଂସସ୍ତୁପରେ ପରିଣତ କରାଦିଆଗଲା ।