ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ବିଧାନସଭାରେ ରାଜ୍ୟର କାମଚଳା ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ବୃଦ୍ଧି ସମ୍ଭାବନା ରହିଥିବା ସେ ଗୃହରେ ପ୍ରକାଶ କରିଛନ୍ତି । ୭.୮% ଦେଶର ଅଭିବୃଦ୍ଧି ହାର ରହିବା ଆକଳନ କରାଯାଇଥିବା ବେଳେ ଦେଶ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ବଢ଼ି ୯ରୁ ୯.୨% ରହିବା ନେଇ ଆକଳନ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । କାମଚଳା ବଜେଟ୍‌ର ମୋଟ ବ୍ୟୟ ୧ ଲକ୍ଷ ୬ହଜାର ୪୯୭ କୋଟି ଟଙ୍କା ରଖାଯାଇଛି ।

୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର GSDP ଅଭିବୃଦ୍ଧି ୧୨ ପ୍ରତିଶତ ଅଧିକ ହେବା ନେଇ ସମ୍ଭାବନା ରହିଛି । ୨୦୦୫-୦୬ ପରଠାରୁ ରାଜ୍ୟ କ୍ରମାଗତ ରାଜସ୍ୱ ବଳକା ହସଲ କରୁଥିବା ମନ୍ତ୍ରୀ କହିଛନ୍ତି । ୨୦୨୨-୨୩ରେ ମୋଟ କାର୍ଯ୍ୟକ୍ରମ ବ୍ୟୟ ୧.୧୦ ଲକ୍ଷ କୋଟି ଆକଳନ କରାଯାଇଛି । ସରକାରୀ କ୍ଷେତ୍ର ପାଇଁ ମୋଟ ୧ ଲକ୍ଷ କୋଟି ଖର୍ଚ୍ଚ ହେବାକୁ ଥିବା ବେଳେ ଅନ୍ୟାନ୍ୟ ପାଇଁ ୧୦ ହଜାର କୋଟି ଖର୍ଚ୍ଚ କରାଯିବ । ବିପର୍ଯ୍ୟୟ ମୁକାବିଲା ପାଇଁ ୩ ହଜାର ୨ ଶହ କୋଟି ବ୍ୟୟ ବରାଦ ପ୍ରସ୍ତାବ ଦିଆଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ନିମନ୍ତେ ୧୨ ହଜାର ୨ ଶହ କୋଟି ବ୍ୟୟବରାଦ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହସ୍ପିଟାଲ୍‌କୁ ପୈଠ ପାଇଁ ୧୮୬୪ କୋଟି, ମିଶନ ଶକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟି ବ୍ୟୟବରାଦ ହୋଇଛି ।

ସେହିପରି ଜାତୀୟ ଗ୍ରାମୀଣ ଜୀବିକା ମିଶନ୍‌ ପାଇଁ ୧,୦୩୯ କୋଟି ବ୍ୟୟବରାଦ ହୋଇଛି । SHG ଓ ସେମାନଙ୍କ ମହାସଂଘ ପାଇଁ ୭୭୩ କୋଟି ବ୍ୟୟବରାଦ ହୋଇଛି । ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୧୭୬ କୋଟି ଟଙ୍କା ବ୍ୟୟବରାଦ, ୨୦୨୨-୨୩ ଶିକ୍ଷା କ୍ଷେତ୍ର ପାଇଁ ୨୬ ହଜାର ୪୯୨ କୋଟି, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦, ୩୪୪ କୋଟି, କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।