ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଗାଡ଼ିକୁ ଟମାଟୋ ଓ କାଳିମାଡ଼

ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଗାଡ଼ିକୁ ଟମାଟୋ ଓ କାଳିମାଡ଼ । ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ିକୁ କାଳିମାଡ଼ କରାଯାଇଛି। ତେବେ ଟମାଟୋ ମାଡ଼ କିଏ କରିଛି, ତାହା ସ୍ପଷ୍ଟ ହୋଇନି। ସମ୍ବିତ ପାତ୍ର ସିଂହଦ୍ୱାରରୁ ସର୍କିଟ୍ ହାଉସ୍ ଯାଉଥିବା ବେଳେ ବଳଗଣ୍ଡି ଛକରେ ତାଙ୍କ ଗାଡ଼ିକୁ ଟାର୍ଗେଟ୍ କରି ଦୁଇ ଜଣ ଯୁବକ ଟମାଟୋ ଫୋପାଡ଼ି ଥିଲେ। ପରେ ଶ୍ରୀ ପାତ୍ର ସର୍କିଟ୍ ହାଉସ୍‌ରୁ ଭୁବନେଶ୍ୱର ଫେରୁଥିବା ବେଳେ ଝାଡ଼େଶ୍ୱରୀ କ୍ଲବ୍ ନିକଟରେ ଛାତ୍ର କଂଗ୍ରେସ ସଦସ୍ୟମାନେ ତାଙ୍କ ଗାଡ଼ି ଉପରେ କାଳିମାଡ଼ କରିଥିଲେ। ଏହା ସହିତ ଛାତ୍ର କଂଗ୍ରେସ କର୍ମୀମାନେ ତାଙ୍କ ଗାଡ଼ିକୁ ଘେରି ନାରାବାଜି କରିଥିଲେ।

ସେମାନେ ସମ୍ବିତ ପାତ୍ର ଗୋ-ବ୍ୟାକ୍‌ ବୋଲି ନାରା ଦେଇଥିଲେ। ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦରଦାମରେ ଅହେତୁକ ବୃଦ୍ଧି, ବେକାର ଯୁବକଯୁବତୀମାନଙ୍କୁ କେନ୍ଦ୍ର ସରକାର ନିଯୁକ୍ତ ସୁଯୋଗ ଦେବା ନେଇ ଦେଇଥିବା ପ୍ରତିଶୁତି ପାଳନ ନ କରିବା ତଥା ଆଜି ସମ୍ବିତ ପାତ୍ର ଶ୍ରୀମନ୍ଦିରକୁ ଯିବା ବେଳେ ଯେପରି ଭାବେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ କଣ୍ଢେଇ ପରି ଧରିଥିଲେ ତା’ର ପ୍ରତିବାଦରେ ତାଙ୍କ ଗାଡ଼ି ଉପରକୁ କାଳିମାଡ଼ କରାଯାଇଛି। କାଳିମାଡ଼ ସହିତ ଅଣ୍ଡାମାଡ଼ ମଧ୍ୟ କରାଯାଇଥିବା ସେମାନେ କହିଛନ୍ତି।