ବିଜେପି ବିଧାୟକ ଦଳର ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ପରୀକୁ ନ୍ୟାୟ ଏବଂ ଅସାମ୍ବିଧାନିକ ଭାବେ ବିଧାନସଭା ମୁଲତବି କରିବା ପ୍ରସଙ୍ଗ

ଭୂବନେଶ୍ୱର : ଓଡିଶା ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀର ଧାରା ୧୧ ଅନୁଯାୟୀ“ଭାରତ ସମ୍ବିଧାନର ଅନୁଚ୍ଛେଦ ୧୭୪ ପ୍ରତି ସାପେକ୍ଷ ହୋଇ ପ୍ରତି ପଂଜିକା ବର୍ଷ (କ୍ୟାଲେଣ୍ଡର ଇୟର) ବିଧାନସଭାର ୩ଟି ଅଧିବେସନ ଯଥା, ବଜେଟ୍‌, ମୈାସୁମୀ ଓ ଶୀତକାଳୀନ ଅଧରବେସନରେ ସର୍ବନିମ୍ନ ୬୦ ଗୋଟି ବୈଠକ ଦିବସ ଅନୁଷ୍ଠିତ ହେବା ନିହାତି ଆବଶ୍ୟକ । ମାତ୍ର ଚଳିତ ବର୍ଷ ରାଜ୍ୟ ସରକାର ବିଧାନସଭାରେ ବଜେଟ ଅଧିବେସନ ୧୩ ଦିନ ପାଇଁ, ମୈାସୁମୀ ଅଧିବେସନ ୭ ଦିନ ପାଇଁ ଏବଂ ଶୀତ ଅଧିବେସନ ମାତ୍ର ୧୦ ଦିନ ପାଇଁ ଅନୁଷ୍ଠିତ କରାଇ ଯଥେଷ୍ଟ ସମୟ ପୂର୍ବରୁଅସାମ୍ବିଧାନିକ ଭାବେ ଗୃହ କାର୍ଯ୍ୟକୁ ମୁଲତବି କରି ଦେଇଛନ୍ତି । ଏହି କାରଣରୁ ବେକାରୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା, ନରେଗା ଯୋଜନା ଅନିୟମିତତା, କୋଭିଡ-୧୯ କୁପରିଚାଳନା ଓ ଦୁର୍ନୀତି, ସମବାୟ ଦୁର୍ନୀତି ଭଳି ଓଡିଶାବାସୀଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଗୃହରେ ଆଲୋଚନା କରାଯାଇ ପାରିଲା ନାହିଁ । ଶାସକ ବିଜୁ ଜନତା ଦଳ ଉପରୋକ୍ତ ସମସ୍ୟାରୁ ନିଜକୁ ଦୁରେଇ ରଖିବା ପାଇଁ ଏବଂ ନିଜ ଭାବମୁର୍ତି ରକ୍ଷା ବିଧାନସଭା ଗୃହକାର୍ଯ୍ୟକୁ ଜାଣିଶୁଣି ମୁଲତବି କରି ପଳାୟନପନ୍ଥୀ ସାଜୁଛନ୍ତି । ବିଧାନସଭା ଅଧିବେସନ ହଠାତ୍ ମୁଲତବି ହେବାର ଘଟଣା ବାରମ୍ବାର ହେଉଛି ।ଭାରତୀୟ ସମ୍ବିଧାନକୁ ରାଜ୍ୟ ସରକାର ଆଦୈା ସମ୍ମାନ ଦେଉନାହାନ୍ତି ଏବଂ ବିଧାସଭାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ମୁଲତବି କରାଯାଉଥିବାର ଅଭିଯୋଗ ରାଜ୍ୟପାଳଙ୍କ ନିକଟରେ କରାଯାଇଅଛି ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ କହିଛନ୍ତି ।
ସେହିପରି ଗତକାଲି ପରୀ ହତ୍ୟାକାଣ୍ଡର ଗ୍ରାଉଣ୍ଡ ଜିରୋକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛୁ । ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷୀୟ ଝିଅ ପରୀର ଅପହରଣ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଆଉ ଏହି ଘଟଣାରେ ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ବିଭାଗର କ୍ୟାବିନେଟ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବା ନେଇ ପରୀଙ୍କ ବାପା ଅଶୋକ ସାହୁ ଓ ମା ସୈାଦାମିନୀ ସାହୁ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ।ଏପରିକି ନୟାଗଡ ଜିଲ୍ଲା ଏସପି ପ୍ରତ୍ୟୁଷ ଦିବାକରଙ୍କ ପାଇଁ ପୋଲିସ ଘଟଣାକୁ ଦିଗହରା କରିଛି । ସ୍ଥାନୀୟ ଥାନାର ତଦନ୍ତ ଅଧିକାରୀ ଓ ଥାନା ଅଧିକାରୀ ଘଟଣାକୁ ଗୁରୁତର ସହ ଗ୍ରହଣ କରିନାହାନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ଚଳିର ବିଧାନସଭା ଅଧିବେଶନରେ ଘଟଣାର ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ କରାଯାଇଥିଲେ ହେଁ ସରକାର ଗୃହରେ ନୀରବ ରହିବା କେବଳ ବିବୃତି ଦେଇ କାର୍ଯ୍ୟ ସାରି ଦେବା ଘଟଣାକୁ ଜଟିଳ କରିଦେଉଛି ବୋଲି ଶ୍ରୀ ନାଏକ କହିଛନ୍ତି ।
ପରୀ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବାର ଅଡିଓ ବିଭିନ୍ନ ଗଣମାଧ୍ୟମରେ ଖୁଲାସା ହୋଇଛି । ସ୍ଥାନୀୟ ସରପଂଚଙ୍କ ସହ ମନ୍ତ୍ରୀ ଶ୍ରୀ ସାହୁ ହୋଇଥିବା କଥାବାର୍ତାରେ ସିଧାସଳଖ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକଙ୍କ ଯେ, ତାଙ୍କର ସଂପର୍କୀୟ ତାହା ପ୍ରମାଣିତ ହୋଇଛି । ମନ୍ତ୍ରୀ ଅରୁଣ ସାହୁଙ୍କ ଏହି ଅଡିଓ ଭାରାଲ ହୋଇଥିଲେ ମଧ୍ୟ ରାଜ୍ୟ ଗୃହ ବିଭାଗ ପକ୍ଷରୁ ତାଙ୍କୁ ଏଯାଏଁ ତଦନ୍ତ ପରିସରଭୁକ୍ତ କରାନଯିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ନାଏକ କହିଛନ୍ତି ।
ମନ୍ତ୍ରୀ ଅରୁଣ ସାହୁ ସ୍ଥାନୀୟ ସରପଂଚଙ୍କ ସହ କଥା ହେବାର ଦୁଇଟି ଅଡିଓ ଗଣମାଧ୍ୟମରେ ଭାଇରାଲ ହେଉଛି । ଯେଉଁଥିରେ ଖୋଦ୍ ମନ୍ତ୍ରୀ ଅରୁଣ ସାହୁ ଧମକ ଦେବା ସହ ଆନ୍ଦୋଳନକୁ ଚାପିବାକୁ ଉଦ୍ୟମ କରୁଛନ୍ତି । ଅନ୍ୟ ଏକ ଭିଡିଓରେ ବାବୁଲି ନାୟକ ତାଙ୍କୁ ଦେଖା କରୁଥିବା କଥା ସ୍ୱୀକାର କରିଛନ୍ତି । ଅନ୍ୟ ପକ୍ଷରେ ପୋଲିସ ପକ୍ଷରୁ ପରୀଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲାଂଚ ଯାଚି ପ୍ରସଙ୍ଗକୁ ଏଡାଇବାକୁ ଚେଷ୍ଟା ହୋଇଥିବାର ଅଭିଯୋଗ ହୋଇଛି ।ପରୀଙ୍କ ବାପା, ମା ଅଙ୍ଗ ତସ୍କରୀର ଅଭିଯୋଗ ଆଣିଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ପରୀଙ୍କ ଘରେ ପଶି ଆକ୍ରମଣ କରାଯାଇଛି ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି ।
କୁନି ପରୀ ପାଇଁ ସରକାର ପରୀ ରଥ ବୁଲାଉଥିବା ବେଳେ ପରୀ ପାଇଁ ବାପା, ମାଁ ଏ ଅଫିସରୁ ସେ ଅଫିସକୁ ଦୈାଡି ଦୈାଡି ନୟାନ୍ତ ହେବା ପରେ ମଧ୍ୟ ତାଙ୍କୁ ନ୍ୟାୟ ନମିଳିବାରୁ ଶେଷରେ ସେମାନେ ଗଣତନ୍ତ୍ର ପବିତ୍ର ମନ୍ଦିର ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କଲେ । ଦୁର୍ଭାଗ୍ୟଜନକ ଯେତେବେଳେ ପ୍ରଥମେ ଖୋଦ୍ ରାଜ୍ୟ ପୋଲିସ ଘଟଣାକୁ ଗୁରୁତର ସହ ଗ୍ରହଣ କରୁନଥିଲେ, ଏହି ଘଟଣା ପରେ ମାମଲାର ପ୍ରଥମେ କ୍ରାଇମବ୍ରାଂଚ ଓ ପରେ ଏସଆଇଟି ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ଯେତେବେଳେ ସଂପୂର୍ଣ୍ଣ ଘଟଣାରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସଂପୃକ୍ତି ଥିବାର ଅଭିଯୋଗ ଆସୁଛି, ଏହି କ୍ରମରେ ତଦନ୍ତକାରୀ ସଂସ୍ଥା କ୍ୟାବିନେଟ ମନ୍ତ୍ରୀଙ୍କୁ ଛୁଇଁ ପାରିବ ତ ଏହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଗୋଟିଏ ପଟେ ଓଡିଶାର ୫ ହଜାରରୁ ଉର୍ଦ୍ଧ ଶିଶୁ ନିଖୋଜ ରହିବା ଘଟଣା ସମସ୍ତଙ୍କୁ ତାଜୁବ କରୁଥିବାବେଳେ ଏପରି ଘଟଣା ଗୃହ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି ।
ତେଣୁ ରାଜ୍ୟ ସରକାର ଯଥେଷ୍ଟ ସମୟ ପୂର୍ବରୁ ଅସାମ୍ବିଧାନିକ ଭାବେ ବିଧାନସଭାକୁ ମୁଲତବି କରିବା ପ୍ରସଙ୍ଗରେ ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିବା ଏବଂ ପରୀ ହତ୍ୟାକାଣ୍ଡ ଘଟଣାର ସିବିଆ ତଦନ୍ତ ହେବା ନେଇ ମାନ୍ୟବର ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଇଛୁ ବୋଲି ଶ୍ରୀ ନାଏକ କହିଛନ୍ତି ।
ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ଭେଟିଥିବା ଏହି ପ୍ରତିନିଧି ମଣ୍ଡଳରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦଳ ଉପନେତା ବିଷ୍ନୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, କୁସୁମ ଟେଟେ, ନାଉରୀ ନାୟକ, ଭାସ୍କର ମଢେଇ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଡା.ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ, ଭବାନୀ ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଆଦିତ୍ୟ ମାଢୀ ପ୍ରମୁଖ ବିଧାୟକମାନେ ଉପସ୍ଥିତ ଥିଲେ ।