ବିଜେଡିରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା

ଭୁବନେଶ୍ୱର : ବିଜେଡିରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ନବୀନ ନିବାସରେ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ସୁନୀତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନୀତା ଦାସଙ୍କୁ ସ୍ୱାଗତ କରିଛନ୍ତି । କଂଗ୍ରେସ ଛାଡି ସୁନୀତା ବିଜେଡିରେ ଯୋଗଦାନ କଲାପରେ ଏହା ଝାରସୁଗୁଡା ଓ ସୁନ୍ଦରଗଡ କଂଗ୍ରେସ ପାଇଁ ବଡ ଝଟକା ଲାଗିଛି । କାରଣ ସୁନୀତା ଥିଲେ ସୁନ୍ଦରଗଡ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି । ଆଗାମୀ ନିର୍ବାଚନ ପାଇଁ ସେ କଂଗ୍ରେସ ଟିକଟ ପାଇଁ ଆବେଦନ କରିଥିଲେ । ପୂର୍ବରୁ ପଂଚାୟତ ନିର୍ବାଚନ ସମୟରେ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଭାଇ କ୍ଷୀରସାଗର ବିଶ୍ୱାଳ ଓ ବିହାରୀ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ ।

ବିଜେଡି ସୁନୀତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବ ବୋଲି ଯୋଜନା ରହିଥିବା ଆଲୋଚନା ହେଉଛି । ତେବେ ଏହାକୁ ସୁନୀତା ମଧ୍ୟ ଅସ୍ବୀକାର କରିନାହାନ୍ତି । ସେ କହିଛନ୍ତି ନିର୍ବାଚନ ସମୟରେ ଏମିତି ଚର୍ଚ୍ଚା ହୁଏ, ନିଷ୍ପତ୍ତି ନେଲେ ଗଣମାଧ୍ୟମକୁ ଆଗ ଜଣାଇବି । ଅସମର୍ଥିତ ସୂତ୍ର ଅନୁସାରେ, ସୁନୀତା କଂଗ୍ରେସର ଲୋକସଭା ପ୍ରାର୍ଥୀ ହେବାକୁ ମନ ବଳାଇଥିଲେ । କିନ୍ତୁ ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ବୀରମିତ୍ରପୁର ବିଧାୟକ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ନାମ ଲୋକସଭା ପାଇଁ ଏକ ପ୍ରକାର ଚୁଡ଼ାନ୍ତ ହୋଇଥିଲା । ଏବଂ ସୁନୀତାଙ୍କ ନାମ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ସୁପାରିସ କରାଯାଇଥିଲା । ତେବେ ଏଥିରେ ଅସନ୍ତୁଷ୍ଟ ଥିଲେ ସୁନୀତା । ଏଥିପାଇଁ ସେ ବିଜେଡିରେ ଯୋଗଦେବା ପାଇଁ ମନବଳାଇଥିଲେ ବୋଲି କୁହାଯାଉଛି ।