ବିଜେଡିରୁ ସାଂସଦ ବୈଜୟନ୍ତ ପଣ୍ଡା ସସ୍‌ପେଣ୍ଡ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ସାଂସଦଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ବିଜେଡି ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ବିଜେଡି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ସାଂସଦ ବୈଜୟନ୍ତ ପଣ୍ଡା ଦଳକୁ ସମାଲୋଚନା କରିବାକୁ ପଛାଉ ନ ଥିଲେ। ଏଥି ସହ ସେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ ପ୍ରାର୍ଥୀଙ୍କୁ ସହାୟତା କରିଥିଲେ। ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି ସବୁ ଅଭିଯୋଗ ଆସିବା ପରେ ଦଳର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ପ୍ରମିଳା ମଲ୍ଲିକ ଏବଂ କଟକ ଜିଲ୍ଲା ପ୍ରଭାରୀ ଉଷା ଦେବୀଙ୍କୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ଏହି ରିପୋର୍ଟ ପାଇବା ପରେ ଦଳର ସଭାପତି ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ସାଂସଦ ବୈଜୟନ୍ତ ପଣ୍ଡା ଇମ୍ଫା କମ୍ପାନିର ଉପସଭାପତି ରହି ବାର୍ଷିକ ଦରମା ଓ ଭତ୍ତା ବାବଦରେ ୨୦୧୪ରେ ୧ କୋଟି ୪୫ ଲକ୍ଷ ୨୭ ହଜାର ୭ଶହ ୪୭ଟଙ୍କା ନେଇଛନ୍ତି ଏବଂ ଇମ୍ଫା(ପୂର୍ବରୁ ଆଇସିସିଏଲ ଭାବରେ ନାମିତ) ଉପରୁ ହଜାର ହଜାର କୋଟି ଟଙ୍କା ଋଣ ଛାଡ଼ ଏବେ ମଧ୍ୟ ବିବାଦ ଘେରରେ ରହିଛି। ଗୋଟିଏ ପଟେ ରାଜ୍ୟ ଏବଂ ଦେଶର ଅପରପକ୍ଷେ ଏକ ଶିଳ୍ପ ଗୋଷ୍ଠୀର ସ୍ୱାର୍ଥ ମଧ୍ୟରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟକୁ ଆଖି ଆଗରେ ରଖି ଦଳୀୟ ନେତୃତ୍ୱ ପଣ୍ଡାଙ୍କୁ ଷ୍ଟଣ୍ଡିଂ କମିଟିର ଅଧ୍ୟକ୍ଷ ଭାବରେ ମନୋନୀତ କରିବା ପାଇଁ ଅଗ୍ରାହ୍ୟ କରିଛନ୍ତି। ଏହି ଘଟଣା ପରେ ଶ୍ରୀ ପଣ୍ଡା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିଜୁ ଜନତା ଦଳକୁ ଦୁର୍ବଳ କରିବା ଭଳି କାର୍ଯ୍ୟକଳାପରେ ସବୁବେଳେ ଲିପ୍ତ ରହିଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ଅଣାଯାଇଛି।
ମୋ ବିରୁଦ୍ଧରେ ଏହା ଏକ ଷଡ଼ଯନ୍ତ୍ର : ବୈଜୟନ୍ତ
ଭୁବନେଶ୍ୱର : ବିଜେଡ଼ିରୁ ନିଳମ୍ବନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ଏଭଳି ଖବର ଶୁଣି ମୁଁ ଚକିତ ଓ ଦୁଃଖିତ ବୋଲି ସେ ଉଲ୍ଲେଖ କରିଛନ୍ତି । ମୋ ବିରୁଦ୍ଧରେ ଜଣେ ଆଇଏଏସ ଅଫିସରଙ୍କ ଷଡ଼ଯନ୍ତ୍ରକୁ ନବୀନ ବାବୁ ଜାଣିନପାରିବା ଦୁର୍ଭାଗ୍ୟଜନକ। ମୋ ବିରୁଦ୍ଧରେ ଲଗାଯାଇଥିବା ସବୁ ଅଭିଯୋଗ ଅମୂଳକ ଓ ଭିତ୍ତିହୀନ । ଆଗକୁ ନିଜର ଜବାବ ରଖିବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ସେ କହିଛନ୍ତି ।”