ବିଜେଡିରୁ ଇସ୍ତଫା ଦେଲେ ଗୁଣୁପୁର ବିଧାୟକ

ଗୁଣୁପୁର : ବିଜେଡିରୁ ଇସ୍ତଫା ଦେଲେ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ । ଦଳର ପ୍ରାଥମିକ ସଦସ୍ୟ ପଦରୁ ତ୍ରିନାଥ ଗମାଙ୍ଗ ଇସ୍ତଫା ଦେଇଛନ୍ତି । ଇସ୍ତଫା କାରଣ ଦର୍ଶାଇ ତ୍ରିନାଥ କହିଛନ୍ତି ଯେ, ଦଳରେ ମୋତେ ଅଣଦେଖା କରାଗଲା । ଗତ ୧୬ତାରିଖରେ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ମିଶ୍ରଣ ପର୍ବ କରାଗଲା କିନ୍ତୁ ମୁଁ ଭୁବନେଶ୍ୱରରେ ଥିଲି ମୋତେ ଖବର ଦିଆଗଲା ନାହିଁ । ସେଥି ପାଇଁ ମୁଁ ମର୍ମାହତ ତେଣୁ ମୁଁ ଦଳ ଛାଡ଼ିବାକୁ ନିଷ୍ପତି ନେଲି ବୋଲି କହିଛନ୍ତି ତ୍ରିନାଥ । ଏପରିକି ୨୦୦୯ରେ ମୋତେ ସଚ୍ଚୋଟ ଲୋକଭାବେ ଦଳ ସାମିଲ କରିଥିଲା । ଏହାପରେ ୨୦୧୪ରେ ଗୁଣୁପୁର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟ ହୋଇଥିଲି । କିନ୍ତୁ ଏବେ ଦଳ ଅଣଦେଖା କରିଥିବାରୁ ଏଭଳି ନିଷ୍ପତି ନେଲି ବୋଲି କହିଛନ୍ତି ତ୍ରିନାଥ । ତେବେ ନିର୍ବାଚନ ଲଢ଼ିବା ଏବଂ ଅନ୍ୟ ଦଳକୁ ଯିବା ନେଇ କହିଛନ୍ତି ଯେ, ଏଯାବତ୍ ସ୍ଥିର କରିନାହିଁ କେଉଁ ଦଳକୁ ଯିବି । ମୋ ସ୍ୱଇଚ୍ଛାରେ କୌଣସି ଦଳକୁ ଯବିନାହିଁ  । ଆସନ୍ତା କାଲି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବି ବୋଲି କହିଛନ୍ତି ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ । ସେହିପରି କୋରାପୁଟ ଲୋକସଭା କ୍ଷେତ୍ରରେ ଆସୁଥିବା ଏହି ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ଏପଟେ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେଡି ହାତ ଛାଡି଼ବା ପରେ ଏବେ ଏଠାରେ ରାଜନୈତିକ ବାତାବରଣ ଉଷ୍ମ ହୋଇଛି । ଏପରିକି ତ୍ରିନାଥ ସ୍ୱାଧୀନ ଭାବେ ଲଢ଼ିବାକୁ ଦମ ରଖିଥିବା କହିବା ପରେ ଏବେ ଉଭୟ ଶାସକ ଓ ବିରୋଧୀ ଶିବିରରେ ହଡ଼କମ୍ପ ସୃଷ୍ଟି ହୋଇଛି ।