ବାସଭବନରୁ କାର୍ଯ୍ୟାଳୟକୁ ହେଲିକପ୍ଟର ଯାଇ ୩ ବର୍ଷ ମଧ୍ୟରେ ୫୫ କୋଟି ଖର୍ଚ୍ଚ କରିଛନ୍ତି ଇମ୍ରାନ

ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦବୀରୁ ହଟିବା ପରେ ବିବାଦ ଘେରରେ ଛନ୍ଦି ହୋଇଗଲେଣି ଇମ୍ରାନ ଖାନ୍। ପୂର୍ବରୁ ବିଦେଶରୁ ମିଳିଥିବା ଉପହାର ବିକ୍ରି କରିବା ଅଭିଯୋଗ ଆସିଥିବା ବେଳେ ଏବେ ସାମ୍ନାକୁ ଆସିଛି ଇମ୍ରାନଙ୍କ ପିଛା ଖର୍ଚ୍ଚ ହୋଇଥିବା ଅର୍ଥର ଲମ୍ବା ଚିଠା। ହେଲିକପ୍ଟର ଯୋଗେ ବାସଭବନରୁ ସଚ୍ଚିବାଳୟ ଯିବାଆସିବା କରୁଥିଲେ ଇମ୍ରାନ।

୩ ବର୍ଷ ୮ ମାସର ପ୍ରଧାନମନ୍ତ୍ରିତ୍ଵ କାଳରେ ଇମ୍ରାନ ତାଙ୍କ ବାସଭବନରୁ ସଚ୍ଚିବାଳୟ ଯିବା ଆସିବାରେ ରାଜକୋଷରୁ ଖର୍ଚ୍ଚ ହୋଇଛି ୫୫ କୋଟି ଟଙ୍କା। ପାକିସ୍ତାନର ନୂଆ ଅର୍ଥମନ୍ତ୍ରୀ ମିଫ୍ତାହ ଇସ୍ମାଇଲ୍ ଏନେଇ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଥିବା ସମରେ ତାଙ୍କ ବାସଭବନରୁ ସଚ୍ଚିବାଳୟ ହେଲିକପ୍ଟର ଯୋଗେ ଯିବା ଆସିବା କରୁଥିଲେ। ଏଥିପାଇଁ ସେ ବିବାଦ ଘେରକୁ ମଧ୍ୟ ଆସିଥିଲେ। ହେଲେ ଇମ୍ରାନଙ୍କ ମନ୍ତ୍ରୀମଣ୍ଡଳରେ ଥିବା ସୂଚନା ମନ୍ତ୍ରୀ ଫବାଦ ଚୌଧୁରୀ ଏହି ଦାବିକୁ ଖାରଜ କରିଥିଲେ। ତେବେ ଇମ୍ରାନଙ୍କ ବିରୋଧରେ ଏବେ ଆଉ ଏକ ନୂଆ ଅଭିଯୋଗ ଆଣିଛନ୍ତି ବର୍ତ୍ତମାନର ଅର୍ଥ ମନ୍ତ୍ରୀ। ସେ କହିଛନ୍ତି ଯେ, ଇମ୍ରାନଙ୍କ ସରକାର ତାଙ୍କ ସମୟରେ ବିଜୁଳି କ୍ଷେତ୍ରରେ ୨,୫୦୦ ଅରବ ଟଙ୍କାର ଋଣ କରିଛନ୍ତି। ସେହିପରି ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ୧,୫୦୦ ଅରବର ଋଣ କରିଛନ୍ତି।

ଅପର ପକ୍ଷରେ ୨୦୧୮ ପରଠାରୁ ଇମ୍ରାନଙ୍କୁ ବିଦେଶରୁ ମିଳିଥିବା ସମସ୍ତ ଉପହାରର ତାଲିକା ସାର୍ବଜନୀନ କରିବାକୁ ଇସଲାମବାଦ ହାଇକୋର୍ଟ ଡେପୁଟି ଆଟର୍ଣ୍ଣି ଜେନେରାଲ୍ ଅରଶଦ କୟାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।