ବାରଣାସୀରୁ ୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି ମୋଦି

ବାରାଣାସୀ: ପୁଣି ଥରେ ଆଗାମୀ ଲୋକସଭା ନିର୍ବାଚନ ୨୦୧୯ରେ ଉତ୍ତର ପ୍ରଦେଶର ବାରାଣସୀ ଆସନରୁ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଦଳର ସଂସଦୀୟ ବୋର୍ଡ ବୈଠକରେ ଏନେଇ ଏକପ୍ରକାର ଚୂଡାନ୍ତ ହୋଇଛି । ତେବେ ଦ୍ୱିତୀୟ ଆସନ ନେଇ ପରବର୍ତ୍ତୀ ସମୟରେ ନିଷ୍ପତି ହୋଇପାରେ । ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହି ଖବର ଆସିବା ପରେ ଏଭଳି ସମ୍ଭାବନାରେ ପୂର୍ଣ୍ଣଛେଦ ପଡିଛି ।ଗତକାଲି ଦିଲ୍ଲୀର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳର ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରୀୟ ନେତୃତ୍ୱରେ ଏହି ବୈଠକ ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ବୈଠକରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପଲିସି ଓ ରଣନୀତି ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ,ଅରୁଣ ଜେଟଲି, ରାଜନାଥ ସିଂ,ଜେପି ନଡ୍ଡା, ଦଳ ଉପାଧ୍ୟକ୍ଷ ଶିବରାଜ ସିଂ ଚୌହାନ ଓ ଦଳର ଅନେକ ନେତା ସାମିଲ ଥିଲେ । ସୂଚନାଯୋଗ୍ୟ , ୨୦୧୪ରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ନିର୍ବାଚନ ଲଢ଼ିଥିଲେ । ଆମ ଆଦମି ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ୫ ଲକ୍ଷ ୭୦ ହଜାର ୧୨୮ ଭୋଟ ଅନ୍ତରରେ ହରାଇଥିଲେ ନରେନ୍ଦ୍ର ମୋଦି । ମୋଦିଙ୍କୁ ମିଳିଥିଲା ୮ ଲକ୍ଷ ୪୫ ହଜାର ୪୬୪ ଭୋଟ୍ । ଲୋକସଭା ନିର୍ବାଚନ ଇତିହାସରେ ଦ୍ୱିତୀୟ ବଡ଼ ବ୍ୟବଧାନରେ ଜିତିଥିଲେ ନରେନ୍ଦ୍ର ମୋଦି ।

ସେହିପରି ବୈଠକରେ ଆଉଏକ ବଡ ନିଷ୍ପତ୍ତି କରାଯାଇଛି । ୭୫ ବର୍ଷ ପରେ ନେତା ଆଉ ନିର୍ବାଚନ ଲଢିପାରିବେ ନାହିଁ ବୋଲି ଦଳ ନେଇଥିବା ନିଷ୍ପତ୍ତିକୁ କୋହଳ କରିଥିବା କୁହାଯାଉଛି । ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଥିଲେ, ଟିକେଟ ଦେବା ପାଇଁ ବିଚାର କରିବ ଦଳ । ୨୦୧୪ ନିର୍ବାଚନରେ ବିଜୟ ପରେ ପ୍ରାର୍ଥୀଙ୍କୁ ଟିକେଟ ଦେବା ପାଇଁ ଥିବା ନିୟମରେ ପରିବର୍ତନ କରାଯାଇଥିଲା । ହେଲେ ଅନେକ ଯୋଗ୍ୟ ପ୍ରାର୍ଥୀ ଟିକେଟରୁ ବଂଚିତ ହେବା ଆଶଙ୍କା ଥିବାରୁ ୨୦୧୯ ନିର୍ବାଚନ ପୂର୍ବରୁ ପୁଣି ନିୟମରେ କୋହଳ କରାଯାଇଛି । ଫଳରେ ଏଲକେ ଆଡଭାନୀ, ମୂରଲି ମନୋହର ଯୋଶୀ, କାଲରାଜ ମିଶ୍ରଙ୍କ ଭଳି ତୁଙ୍ଗ ନେତା ଆଗାମୀ ନିର୍ବାଚନା ଲଢିବା ସମ୍ଭାବନା ସୃଷ୍ଟି ହୋଇଛି ।