ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡ ମାମଲା; ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ତେବେ ଡ୍ରାଇଭର ବର୍ଦ୍ଧନ ଟପୋଙ୍କୁ ନର୍ଦ୍ଦୋଷରେ ଖଲାସ କରିଥିବା ଜଣାଯାଇଛି। ରାୟଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଅନୁପ ସାଏଙ୍କ ନାମରେ ଥିବା ମାମଲାର ରାୟ ପ୍ରକାଶ ପାଇଛି।

ବିଚାରପତି କମଲେଶ ଜଗଦଲା ଏହି ମାମଲାର ବିଚାର କରି ଭାରତୀୟ ଦଣ୍ଡବିଧି ଆଇନର ୩୦୨, ୧୨୦ ବି ଓ ୨୦୧ ରେ ଅନୁପଙ୍କୁ ଆଜୀବନ କାରାଦଣ୍ଡ ସହିତ ଉପରୋକ୍ତ ଦଫା ଗୁଡ଼ିକରେ ୫ ହଜାର ଟଙ୍କା ଲେଖାଁଏ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ସରକାରୀ ଓକିଲ ଦୀପକ ଶର୍ମା ଓ ଅନୁପଙ୍କ ପାଇଁ ବିଜୟ ସରାଫ ମକଦ୍ଦମା ପରିଚାଳନା କରୁଥିଲେ। କୋର୍ଟ ପ୍ରାୟ ୫୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିଥିବା ପ୍ରକାଶ ।

୨୦୧୬ ମସିହା ମଇ ମାସ ୭ ତାରିଖ ଦିନ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆର ଶାକମ୍ବରି ପ୍ଲାଣ୍ଟକୁ ଯାଇଥିବା ଏକ ନିକାଞ୍ଚନ ରାସ୍ତାରେ ଦୁଇଗୋଟି ମୃତଦେହ ପଡ଼ିଥିବା ପୁଲିସ ସୂଚନା ପାଇଥିଲା । ଉଭୟଙ୍କୁ ହତ୍ୟା କରାଯାଇ ତାଙ୍କ ଉପରେ ଗାଡ଼ି ମଡାଇ ଦିଆଯାଇଥିବା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା। ଘଟଣା ଅତି ସ୍ପର୍ଶକାତର ହୋଇଥିବା ବେଳେ ମୃତଦେହକୁ ସେତେବେଳେ କେହି ଚିହ୍ନି ପାରିନଥିଲେ। ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ବିଳାସପୁର ଡ଼ିଆଇଜି ପବନ ଦେବ ହତ୍ୟାକାଣ୍ଡ ସ୍ଥଳକୁ ନିଜେ ଯାଇ ତଦନ୍ତ କରିଥିଲେ। ଉଭୟ ମୃତଦେହ ଉପରେ ଏକ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିବା ପୁଲିସ ରିପୋର୍ଟରେ ଉଲ୍ଲେଖ କରିଥିଲା। ପରେ ଛତିଶଗଡ଼ ପୁଲିସ ଉଭୟ ମହିଳାଙ୍କ ଫଟୋ ଛତିଶଗଡ଼ ସମେତ ଓଡ଼ିଶାର ବିଭିନ୍ନ ଥାନାରେ ଜାରି କରିଥିଲା। ସେହି ସମୟରେ ବ୍ରଜରାଜନଗର ଥାନାରେ ଏହି ମହିଳା କଳ୍ପନା ଓ ତାଙ୍କ ଝିଅ ବବ୍‌ଲି ବୋଲି ତାଙ୍କର ଜଣେ ସଂପର୍କିୟ ଚିହ୍ନଟ କରିବା ପରେ କେସ୍‌ ଆଗକୁ ବଢ଼ିଥିଲା। କଳ୍ପନା ଜଣେ ସ୍ବାମୀ ପରିତ୍ୟକ୍ତା ହୋଇଥିବା ବେଳେ ସେ ଅନୁପ ବାବୁଙ୍କ ସହାୟତା ନେଇଥିବା ଓ ପରେ ତାଙ୍କୁ ବିବାହ କରିବା, ଭୁବନେଶ୍ବର ଠାରେ ଥିବା ଅନୁପଙ୍କ ଘରକୁ ତାଙ୍କ ନାମ‌ରେ କରିବା ପାଇଁ ବ୍ଲାକମେଲ କରି ଆସୁଥିବା ପୁଲିସ ତଦନ୍ତ ବେଳେ ପ୍ରକାଶ କରିଥିଲା। ଏହି ହତ୍ୟାକାଣ୍ଡ ସହିତ ଅନୁପଙ୍କ ସଂପୃକ୍ତି ଥିବା ସଂଦେହରେ ୨୦୨୦ ମସିହା ଫେବ୍ରୁଆରି ୧୩ ତାରିଖ ଦିନ ଚକ୍ରଧରନଗର ପୁଲିସ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ‌ଟପ୍ପୋକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ଅନୁପ ରାୟଗଡ଼ ଜେଲରେ ଥିବା ବେଳେ ଡ୍ରାଇଭର କିଛି ମାସ ତଳେ ଜାମିନରେ ଆସିଥିଲା।

ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଛତିଶଗଡ଼ ରାଜ୍ୟର ରାୟଗଡ଼ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲ ଯାଇଥିଲେ। ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆ ଠାରେ ଘଟିଥିବା ଡବଲ ମର୍ଡର ଘଟଣାରେ ପୁଲିସ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ରାୟଗଡ଼ ଜେଏମଏଫସି ଦିଗବିଜୟ ସିଂହଙ୍କ କୋର୍ଟରେ ହାଜର କରିଥିଲା। ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନକୁ କୋର୍ଟ ନାକଚ କରିଥିଲେ। ଅଭିଯୁକ୍ତ ଅନୁପ ସାଏଙ୍କୁ ରାୟଗଡ଼ ଜେଲକୁ ପଠାଇ ଦେଇଥିଲେ।

ରାୟଗଡ଼ ଏସପି ସନ୍ତୋଷ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାୟଗଡ଼ କାର୍ଯ୍ୟନିର୍ବାହୀ ଏଏସପି ଅଭିଷେକ ବର୍ମା, ସିଏସପି ଅବିନାଶ ସିଂ ଠାକୁରଙ୍କ ଦିଗଦର୍ଶନରେ ଇନ୍‌ସପେକ୍ଟର ବିବେକ ପଟେଲ, ଏସ ସିଂ, ରୂପକ ଶର୍ମା, ଗୌରୀଶଙ୍କର ଦୁବେ, ସଉଣୀ ଶସିଦେ ଭୋଇ, ଡିପି ଭରଦ୍ୱାଜ, ସାଇବର ସେଲ ମୁଖ୍ୟ ରାଜେଶ ପଟେଲ, ଆର ଶ୍ୟାମଲାଲ, ଚକ୍ରଧରନଗର ଥାନା ଅଧିକାରୀ ଜଗମୋହନ ଓଗରେ, ରିତେଶ ଦିୱାନ, ଦିନେଶ ଗୌଣ୍ଡ, ଆଖିଲେଶ କୁଶବାହ, ଭବାନୀ ଶଙ୍କର, ମହେଶ ପଣ୍ଡା, ସୁରେନ୍ଦ୍ର ପୋର୍ତି, ବୃଜଲାଲ ଗୁଜର, ମହିଳା ଇନ୍‌ସପେକ୍ଟର ରୀନା ବୁଲବୁଲ ତଦନ୍ତ ପରିଚାଳନା କରୁଥିଲେ। ପ୍ରେମ ସମ୍ପର୍କ, ସମ୍ପତ୍ତି ଓ ବିବାହ ପାଇଁ ଜିଦ ଯୋଗୁଁ ମହିଳାଙ୍କୁ ହତ୍ୟା କରାଯାଇଥିବା ଏସପି ପ୍ରକାଶ କରିଥିଲେ।