ଫେସବୁକରୁ ତଥ୍ୟ ଚୋରୀ ପ୍ରସଂଗ: ପଡୁଚି ଉଠୁଚି ଦେଶ ରାଜନୀତି, ବିଜେପି-କଂଗ୍ରେସ ବାକ୍ ଯୁଦ୍ଧ

ଭୁବନେଶ୍ବର : ଭାରତର ନିର୍ବାଚନରେ ଜନମତକୁ ପ୍ରଭାବିତ କରିବାପାଇଁ  ଫେସବୁକରୁ ତଥ୍ୟ ଚୋରି ପ୍ରସଙ୍ଗ ନେଇ ଏବେ ଭାରତୀୟ ରାଜନୀତି ପଡୁଚି ଉଠୁଚି। ନିନ୍ଦିତ ଡାଟା ଫାର୍ମ ସହିତ ସମ୍ପର୍କ ନେଇ ବିଜେପି-କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ ଥମିବାର ନାଁ ନେଉନି। ନିର୍ବାଚନରେ ବିଜୟ ପାଇଁ କୌଣସି ପ୍ରକାର ବେଆଇନ ଉଦ୍ୟମକୁ ପ୍ରଶ୍ରୟ ଦିଆଯିବନି ବୋଲି ରୋକଠୋକ କହିଛନ୍ତି କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ।

ଫେସ୍‌ବୁକ୍‌ ଡେଟା ଚୋରିକୁ ନେଇ ରାଜନୀତିରେ ହଇଚଇ ।  ଆମେରିକାରୁ ଭାରତ ସବୁଠି ଏବେ ସେହି କଥା । ଡେଟା ଚୋରି ହୋଇଛି ନିର୍ବାଚନ ପାଇଁ ।  ଆଉ ଏପଟେ ୪ ଆଡୁ ଆକ୍ଷେପର ଶିକାର ହେବା ପରେ ୪ଦିନର ନିରବତା ଭାଙ୍ଗିଛନ୍ତି ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ। ଜୁକରବର୍ଗ ମାନିଛନ୍ତି ଫେସ୍‌ବୁକ୍‌ ଭୁଲ କରିଛି । ତେବେ ବ୍ୟବହାରକାରୀଙ୍କ ଡେଟା ସୁରକ୍ଷା ଆମର ଦାୟିତ୍ୱ । ଆଉ ଯଦି ଏଥିରେ ବିଫଳ ହେଉ ତେବେ ସେବା ଯୋଗାଇବାର ଅଧିକାର ଆମର ନାହିଁ ବେଲି ଜୁକରବର୍ଗ କହିଛନ୍ତି । ଭାରତ, ବ୍ରାଜିଲ ସମେତ ବିଶ୍ବବ୍ୟାପୀ ନିର୍ବାଚନରେ ସଚ୍ଚୋଟତା ବଜାୟ ରଖିବାପାଇଁ ତାଙ୍କ ସଂସ୍ଥା ଅଙ୍ଗୀକାରବଦ୍ଧ ବୋଲି କହିଛନ୍ତି ଜୁକରବର୍ଗ।

ଏଣେ ଫେସବୁକ ନେଇ ଭାରତୀୟ ରାଜନୀତିରେ ବହୁଛି ଝାଞ୍ଜି ପବନ । ନିନ୍ଦିତ କାମ୍ବ୍ରିଜ ଆନାଲିଟିକା ସହିତ ସମ୍ପର୍କ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଥମିବାର ନା ନେଉନି।  ନିନ୍ଦିତ ସଂସ୍ଥା ସହିତ ସମ୍ପର୍କ ରଖିଥିବା ନେଇ ଦୁଇ ଦଳ ଆରୋପ ପ୍ରତ୍ୟାରୋପ ପାଇଁ କୌଣସି ମୌକାକୁ ହାତ ଛଡା କରୁ ନାହାଁନ୍ତି । ନିନ୍ଦିତ କାମ୍ବ୍ରିଜ ଆନାଲିଟିକା ସଂସ୍ଥା ସହିତ କଂଗ୍ରେସ ଗୁଜରାଟ ନିର୍ବାଚନ ବେଳେ ସମ୍ପର୍କ ସ୍ଥାପନ କରିଥିଲା ବୋଲି କହିଛି ବିଜେପି । ସେପଟେ ଏହାର ଜବାବ ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ଇରାକରେ ୩୯ ଜଣ ଭାରତୀୟଙ୍କୁ ଆଇଏସ ଆଇଏସ ହତ୍ୟା କରିବା ଘଟଣାରେ ବ୍ୟାକଫୁଟରେ ଥିବା ସରକାର ଫେସବୁକ କାହାଣୀ ତିଆରି କରୁଛନ୍ତି ବୋଲି କଂଗ୍ରେସ କହିଛି।  ଟ୍ବିଟ ଯୁଦ୍ଧ ସାଙ୍ଗକୁ ବାକ୍‌ ଯୁଦ୍ଧ ଘମାଘୋଟ ଚାଲିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କୁଆଡ଼େ ତାଙ୍କ ନିର୍ବାଚନ ସମୟରେ କାମ୍ବରିଜ ଆନାଲିଟିକାର ସହାୟତା ନେଇଥିଲେ ।  ନିର୍ବାଚନ ବେଳେ ଫେସବୁକ ଆକାଉଣ୍ଟଧାରୀଙ୍କ ଅଗୋଚରରେ ସେମାନଙ୍କର ଡାଟାକୁ ବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରାଯାଉଥିବା ଅଭିଯୋଗ ନେଇ ଆମେରିକା, ୟୁରୋପ, ଭାରତରେ ଜୋର ଧରିଛି ରାଜନୀତି।