ଫେବ୍ରୁଆରି ୨୪ରେ ବିଜେପୁର ଉପନିର୍ବାଚନ 

ଭୁବନେଶ୍ୱର: ଫେବ୍ରୁଆରି ୨୪ରେ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପନିର୍ବାଚନ ମତଦାନ ।  ଫେବ୍ରୁଆରି ୨୮ରେ ଭୋଟ ଗଣତି ହୋଇ ସେହିଦିନ ଫଳାଫଳ ଘୋଷଣା କରାଯିବ। ଏଥି ପାଇଁ ଫେବ୍ରୁଆରି ୬ରେ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଫେବ୍ରୁଆରି ୭ରେ ନାମାଙ୍କନ ଯାଞ୍ଚ ହେବ। ସେହିଭଳି ଫେବ୍ରୁଆରି ୯ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହର ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ନିର୍ବଚନ କମିସନଙ୍କ ବିଜ୍ଞପ୍ତି ଜାରି ହୋଇଛି। ନିର୍ବାଚନ କମିସନଙ୍କ ଦ୍ୱାରା ତାରିଖ ଘୋଷଣା ହେବା ପରେ ଶାସକ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ନେତାମାନେ ଅଧିକ ବ୍ୟସ୍ତ ହୋଇ ପଡ଼ିଥିବା ଜଣାପଡ଼ିଛି। ୩ଟି ପ୍ରମୁଖ ଦଳ ପକ୍ଷରୁ ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀ ଘୋଷଣା ହୋଇ ନ ଥିଲେ ମଧ୍ୟ ଭିତରେ ଭିତରେ ନିର୍ବାଚନ ପଡ଼ିଆକୁ କିଏ ଓହ୍ଲାଇବେ ସେ ନେଇ ପ୍ରସ୍ତୁତି ଚାଲିଛି।

ଅଶୋକ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ ନାରାୟଣ ସାହୁ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। କିନ୍ତୁ କୁହାଯାଉଛି ଯେ, ନାରାୟଣଙ୍କୁ ବିଜେଡ଼ିରେ ଟିକେଟ ମିଳିବ ନା ନାହିଁ ତାହା ସମୟ କହିବ। ବିନା ପ୍ରାର୍ଥୀ ଘୋଷଣାରେ ବିଜେପି ଓ ବିଜେଡି ପକ୍ଷରୁ ନିର୍ବାଚନ ପ୍ରଚାର ଯୋରଦାର ଚାଲିଛି। ସେହିପରି କଂଗେସରୁ କିଏ ପ୍ରାର୍ଥୀ ହେବେ ତାହା ଆଗାମୀ କିଛି ଦିନ ମଧ୍ୟରେ ଜଣାପଡ଼ିବ। କୁହାଯାଉଛି ଯେ, ରିପୁନାଥ ସେଠୀ ଓ ପ୍ରଣୟ ସାହୁଙ୍କ ମଧ୍ୟରୁ କେହି ଜଣେ ଟିକେଟ ହାତେଇବେ କିନ୍ତୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତି ପରେ ଏହା ସ୍ପଷ୍ଟ ହେବ  ।