‘ଫିଡ୍ ଦି ନିଡ୍‌’ କାର୍ଯ୍ୟକ୍ରମ ଜରିଆରେ ବିଜେପି କାର୍ଯ୍ୟକର୍ତାଙ୍କ ଅସହାୟ ଗରିବଙ୍କୁ ରନ୍ଧା ଖାଦ୍ୟ ଏବଂ ଖାଦ୍ୟ ସାମଗ୍ରୀ ବଂଟନ 

ଭୂବନେଶ୍ୱର : ମାନବଜାତି ଆଜି କୋରୋନା ଭୁତାଣୁ ଜନିତ ଏକ ବୈଶ୍ୱିକ ମହାମାରୀ ଦେଇ ଗତି କରୁଛି, ଯାହା ବିଶ୍ୱର ପ୍ରାୟ ସମସ୍ତ ଶକ୍ତିଶାଳୀ ଓ ସମୃଦ୍ଧ ଦେଶମାନଙ୍କର ସ୍ଥିତି ଦୋହାଲାଇ ଦେଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି ।ଏଭଳି ସ୍ଥିତିରେ ଆଜିର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଯେଭଳି ସମୟ ପୂର୍ବରୁ ଗୋଟିଏ ପରେ ଗୋଟିଏ ସତର୍କତା ଓ ସଚେତନତା ପଦକ୍ଷେପ ନେଉଛି, ତାହା ସ୍ଥିତି ସୁଧାରିବାର ଆଶା ଜାଗ୍ରତ କରିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପର୍ଯ୍ୟାୟରେ ‘ଜନତା କର୍ଫ୍ୟୁ’ର ଆହ୍ୱାନ, ଦ୍ୱିତୀୟ ପର୍ଯ୍ୟାୟରେ ୨୧ ଦିନର ‘ଲକ୍‌ଡାଉନ୍‌’ ସବୁ ମହଲରେ ସ୍ୱାଗତ କରିବା ସହ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଏହାକୁ ସୁଚାରୁ ରୁପେ ପାଳନ କରିବାକୁ ନିରନ୍ତର ପ୍ରୟାସରତ । ସେହିପରି ତୃତୀୟ ପର୍ଯ୍ୟାୟରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଗରିବ କଲ୍ୟାଣ ଯୋଜନାର ଘୋଷଣା ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଆଶ୍ୱସ୍ଥି ଆଣିବା ସହ କୋରୋନାକୁ ସାହାସର ସହ ମୁକାବିଲା କରିବା ପାଇଁ ବଳ ଯୋଗାଇଛି କହିଲେ ଅତ୍ୟୁକ୍ତି ହେବନାହିଁ ।
ଏଭଳି ମୁହୁର୍ତରେ ଭାଜପା ଭଳି ଏକ ସାମାଜିକ ସମ୍ବେଦନଶୀଳ ରାଜନୈତିକ ସଂଗଠନ ନିଜର ଗୁରୁଦାୟୀତ୍ୱକୁ ସମୟର ଆହ୍ୱାନ ସ୍ୱରୁପ ସ୍ୱୀକାର କରି ବିଭିନ୍ନ ସେବା କାର୍ଯ୍ୟକ୍ରମ ହାତକୁ ନେଇଛି ।ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା, ତାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ବି.ଏଲ.ସନ୍ତୋଷ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓ ରାଜ୍ୟର ସମସ୍ତ ସାଂସଦ, ବିଧାୟକ ତଥା ବରିଷ୍ଠ ନେତାମାନଙ୍କର ବିଚାର ବିମର୍ଶରେ ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କ ପାଇଁ ମାଗଣା ସୁବିଧା ଓ କ୍ଷୁଧାମୁକ୍ତ ବ୍ୟବସ୍ଥା କରାଇବାର ପଦକ୍ଷେପନିଆଯାଇଛି । ଏହି କାର୍ଯ୍ୟକ୍ରମକୁ #FeedTheNeedy ନାମକରଣ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।
ଭାରତୀୟ ପରମ୍ପରା ‘ନର ସେବା – ନାରାୟଣ ସେବା’କୁ ସମ୍ମାନ ଜଣାଇ ‘ଲକ୍‌ଡାଉନ୍‌’ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଂଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କୁ ସେମାନଙ୍କ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଔଷଧ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।


ଭୂବନେଶ୍ୱରରେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସକୁମାର ମହାନ୍ତି ଗରିବ ଅସହାୟଙ୍କୁ ରନ୍ଧାଖାଦ୍ୟ ବଂଟନ କରିଥିଲେ । ସେହିପରି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ନେତୃତ୍ୱରେ ଝାରସୁଗୁଡା ଜିଲ୍ଲାର ବେଲପାହାଡ, ଝାରସୁଗୁଡା, ବ୍ରଜରାଜନଗର,ଭୂବନେଶ୍ୱରଠାରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ, ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଗା ଓ କଂଟାବାଂଜି, ମୟୁରଭଞ୍ଜ ଜିଲ୍ଲାର ଉଦଳା, ସାରଶକଣା, ବାରିପଦା, ମୋରଡା, କେନ୍ଦୁଝର ଜିଲ୍ଲାର ବଡବିଲ, ପାଟଣା, କେନ୍ଦ୍ରାପଡା ଜିଲ୍ଲାର ଆଳି, ମହାକାଳପଡା, ରାଜନଗର, ପଟ୍ଟାମୁଣ୍ଡାଇ, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ଯାଜପୁର ଜିଲ୍ଲାର ଦଶରଥପୁର ସମେତ ଖୋର୍ଦ୍ଧା, ନୁଆପଡା, ରାୟଗଡା, ନବରଙ୍ଗପୁର, ସୁନ୍ଦରଗଡ, ରାଉରକେଲା, ଭଦ୍ରକ, କଟକ, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ, ପଶୁଖାଦ୍ୟ, ଔଷଧ, ମାସ୍କ, ସାନିଟାଇଜର ଆଦି ନିତ୍ୟାବଶ୍ୟକ ସାମଗ୍ରୀ ବଂଟନ କରାଯାଇଛି । ଏହି କାର୍ଯ୍ୟରେ ପାର୍ଟୀର ବିଧାୟକ, ଲୋକ ପ୍ରତିନିଧି, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତା, ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।