ପ୍ରେମକକୁ ପାଇବାକୁ ଭୁବନେଶ୍ବର ଆସୁଛନ୍ତି ପୋଲାଣ୍ଡ ସୁନ୍ଦରୀ


ଭୁବନେଶ୍ୱର : ପ୍ରେମକୁ ସାକାର କରିବା ସହ ନିଜ ପ୍ରେମିକକୁ ପାଖରେ ପାଇବାକୁ ପ୍ରେମିକା ସାତ ସମୁଦ୍ର ପାର ହୋଇ ଦେଶବିଦେଶରେ ଘୂରିବା ସିନେମାରେ ଦେଖାଯାଏ । ହେଲେ ବାସ୍ତବରେ ଏଭଳି ଘଟଣା କିଞ୍ଚିତ ଦେଖିବାକୁ ମିଳେ । ତେବେ ନିଜ ପ୍ରେମିକକୁ ପାଇବା ପୋଲାଣ୍ଡର ଜଣେ ଯୁବତୀ ଲୋକଙ୍କ ସହଯୋଗ ମାଗିବା ସହ ଭୁବନେଶ୍ୱର ଆସୁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଦୁଇଦିନ ହେଲା ସୋସିଆଲ ମିଡିଆ ଫେସ୍ବୁକରେ ପୋଲାଣ୍ଡର ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯୁବତୀ ଜଣକ ଇଂରାଜୀରେ କଥା ହେଉଥିବା ବେଳେ ମଝିରେ ମଝିରେ ଖଣ୍ଡି ଓଡ଼ିଆ କହୁଛନ୍ତି । ତାଙ୍କ କହିବାନୁସାରେ, କିଛିଦିନ ତଳେ ଭୁବନେଶ୍ୱରରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କର ଫେସବୁକରେ ଫ୍ରେଣ୍ଡଶିପ ହୋଇଥିଲା । ହାଏ, ହ୍ୟାଲୋରୁ କଥା ଆରମ୍ଭ ହୋଇ ନମ୍ବର ଦିଆନିଆ ହେଲା । ବେଶ କିଛିଦିନ କଥାବାର୍ତ୍ତା ପରେ ଯୁବକ ଜଣକ ତାଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ । ଏଥିରେ ସେ ହତବାକ ହୋଇଯାଇଥିଲେ । ହେଲେ ଏହାର କିଛିଦିନ ପରେ ଯୁବକ ଜଣକ ହଠାତ ଫେସବୁକ ଆକାଉଣ୍ଟ ବନ୍ଦ କରିଦେଇଥିଲେ । ହ୍ୱାଟ୍ସଆପ ନମ୍ବର ମଧ୍ୟ ବଦଳି ଯାଇଛି । ତାଙ୍କ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଭିଡିଓରେ ଯୁବତୀ ଜଣକ ଖଣ୍ଡି ଓଡ଼ିଆରେ କହୁଛନ୍ତି, ଯାହା ତାଙ୍କୁ ତାଙ୍କର ତଥାକଥିତ ପ୍ରେମିକ ଶିଖାଇଥିବା ସେ ଦାବି କରୁଛନ୍ତି । ଓଡ଼ିଆ ତାଙ୍କୁ ବହୁତ ଭଲ ଲାଗୁଥିବା ସେ କହିଛନ୍ତି । ‘ମୁ ଥୁମକୁ ବଲପାଏ… ଥମେ ଯଦି ମତେ ଦେଖୁଛ… ମୁ ଭୁବନେଶ୍ୱର ଆସୁଛି ।’ ଭିଡିଓରେ ଏଭଳି ଓଡ଼ିଆ କହୁଥିଲେ । ଏପରିକି ଭିଡିଓକୁ ଅଧିକରୁ ଅଧିକ ଭାଇରାଲ୍ କରିବାକୁ ସେ କହୁଛନ୍ତି । ତେବେ ପୂରା ଭିଡିଓରେ ଯୁବତୀ ଜଣକ ପ୍ରେମିକର ନାଁ ନେଇନାହାନ୍ତି । କେବଳ ସେ ଭୁବନେଶ୍ୱର ଆସୁଥିବା କହିଛନ୍ତି । ତେବେ ପ୍ରେମିକ ଜଣକ ଭୁବନେଶ୍ୱରରେ ରହୁଥିବା ତାଙ୍କୁ କହିଥିବା ସ୍ପଷ୍ଟ ହେଉଛି । ଯୁବତୀଙ୍କ ପ୍ରେମ ସୋସିଆଲ ମିଡିଆରୁ ଆରମ୍ଭ ହୋଇ ପୁଣି ସେହି ସୋସିଆଲ ମିଡିଆରେ ହିଁ ଶେଷ ହୋଇଯାଇଛି । ଯଦି ଯୁବତୀ ଜଣକ ଭୁବନେଶ୍ୱର ଆସି ପୁଲିସର ସହାୟତା ନିଅନ୍ତି, ତାହାହେଲେ ପ୍ରେମିକ ଜଣକ ଚିହ୍ନଟ ହୋଇପାରିବେ । ଯୁବତୀଙ୍କ ପାଖରେ ଥିବା ହ୍ୱାଟ୍ସଆପ ନମ୍ବର ଓ ଫେସବୁକ ଆଇଡିରୁ ଯୁବକଙ୍କୁ ପୁଲିସ ଠାବ କରିପାରିବ । ତେବେ ପ୍ରଶ୍ନ ଉଠୁଛି, କିଏ ସେ ପ୍ରେମିକ? ବିଦେଶିନୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଠକି ଦେଇଛି? ସତରେ କ’ଣ ସାତ ସମୁଦ୍ର ପାର ହୋଇ ଓଡ଼ିଶା ଆସୁଥିବା ପ୍ରେମିକା ନିଜ ପ୍ରେମକୁ ସାକାର କରିପାରିବ?