ପ୍ରଥମେ ସୀମାକୁ ସେନା ହଟାଅ; ତାପରେ ଆଲୋଚନା

ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଗତକାଲି ଭାରତ ଗସ୍ତରେ ଆସିଥିବା ବେଳେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କରଙ୍କୁ ଭେଟିଛନ୍ତି। ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ପ୍ରଥମେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଭେଟି ଘଣ୍ଟାଏରୁ ଅଧିକ ସମୟ ଆଲୋଚନା କରିଛନ୍ତି ।

ଆଲୋଚନା ମଧ୍ୟରେ ମୁଖ୍ୟ ପ୍ରସଙ୍ଗ ଥିଲା ଦୁଇ ଦେଶର ସୀମା ବିବାଦ । ଭାରତର ସମ୍ବେଦନଶୀଳ ଇଲାକା ତଥା ଭାରତ ମଧ୍ୟରେ ଥିବା ସୀମାରୁ ଚୀନ୍ ନିଜ ସେନାକୁ ଯଥାଶିଘ୍ର ପ୍ରତ୍ୟାହାର କରିନେଉ । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱାଭାବିକ ସ୍ତରକୁ ଆସିପାରିବ । ଦୁଇ ଦେଶ ମଧ୍ୟରେ କୌଣସି ବି ଆଲୋଚନା ଆରମ୍ଭ କରିବାକୁ ହେଲେ ପ୍ରଥମେ ବିଶ୍ୱାସ ସୃଷ୍ଟି ହେବା ଆବଶ୍ୟକ ବୋଲି ଅଜିତ ଡୋଭାଲ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ କହିଛନ୍ତି।

ସାମ୍ପ୍ରତିକ ପରିସ୍ଥିତିରେ ପାରସ୍ପରିକ ସ୍ବାର୍ଥରେ ବ୍ୟାଘାତ ଘଟୁଛି ବୋଲି କହିବା ସହ ଡୋଭାଲ୍‌ କହିଛନ୍ତି ଯେ, ଶାନ୍ତି ଓ ସ୍ଥିରତା ଫେରିଲେ ପରସ୍ପର ପରସ୍ପରର ବିଶ୍ବାସଭାଜନ ହେବେ। ବିଶ୍ବାସ ଆସିଲେ ସମ୍ପର୍କରେ ଉନ୍ନତି ଘଟିବ ବୋଲି କହିଛନ୍ତି। ଏହାପରେ ଅଜିତ ଡୋଭାଲଙ୍କ କଥାକୁ ଆଗକୁ ବଢ଼ାଇବା ପାଇଁ ଚୀନ ପକ୍ଷରୁ ଡୋଭାଲଙ୍କୁ ଚୀନ ଗସ୍ତ କରିବା ପାଇଁ ନିମନ୍ତ୍ରଣ କରାଯାଇଛି । ତତ୍କାଳ ସମସ୍ୟାର ସଫଳତା ପୂର୍ବକ ସମାଧାନ ହେବା ପରେ ଡୋଭାଲ ଚୀନ ଗସ୍ତ କରିବେ ବୋଲି ଚତୁରତାର ସହିତ ଏହାର ପ୍ରତିଉତ୍ତର ଦେଇଛନ୍ତି।

ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବା ପରେ ଭାରତର ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କରଙ୍କୁ ଭେଟିଛନ୍ତି। ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଦୀର୍ଘ ୩ ଘଣ୍ଟା କାଳା ଆଲୋଚନା କରିଛନ୍ତି ତାଙ୍କ ଭାରତ ପ୍ରତିପକ୍ଷ ଏସ ଜୟଶଙ୍କର। ଦୁଇ ଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦ ବୈଠକରେ ଉଠିଛି।ତେବେ ବୈଠକ ପରେ ସାମ୍ବାଦିକମାନଙ୍କ ଆଗରେ ବଡ଼ ବୟାନ ଦେଇଛନ୍ତି ଜୟଶଙ୍କର। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ସ୍ଥିତିକୁ ସୁଧାରିବାକୁ ପ୍ରୟାସ ଚାଲିଛି। କିନ୍ତୁ ଏହି ପ୍ରୟାସ ଆଶା ଠାରୁ ବହୁତ ଧିମା ଗତିରେ ଆଗକୁ ଯାଉଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆଦୌ ସ୍ୱାଭାବିକ ଅବସ୍ଥାରେ ନାହିଁ। ଚାଇନା ସହ ସୀମା ବିବାଦର ସାମାଧାନ ନ ହେବା ଯାଏ ଦୁଇ ଦେଶ ମଧ୍ୟରେ ସମ୍ପର୍କ କେବେ ହେଲେ ସ୍ୱାଭାବିକ ହୋଇପାରିବ ନାହିଁ ବୋଲି ଜୟଶଙ୍କର କହିଛନ୍ତି।

ବୈଠକ ପରେ ଗଣମାଧ୍ୟମକୁ ଜୟଶଙ୍କର କହିଛନ୍ତି ଦୁଇ ଦେଶ ମଧ୍ୟରେ ଆଜି ହୋଇଥିବା ବୈଠକରେ ସୀମା ବିବାଦକୁ ପ୍ରମୁଖ ବିଷୟ ଭାବେ ଉପସ୍ଥାପନ କରାଯାଇଥିଲା। ସୀମା ବିବାଦର ସମାଧାନ ପାଇଁ ପ୍ରୟାସ ଜାରି ରହିଛି। ତେବେ ଏହି ସମାଧାନର ଗାଡ଼ି ବେଶ ଧିମା। ସୀମା ବିବାଦ ସହ ୟୁକ୍ରେନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ସୀମାବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ବିବାଦର ସାମାଧାନ ହେବା ପରେ ହିଁ ସମ୍ପର୍କରେ ସ୍ଥିରତା ଆସିବ। ଚାଇନାକୁ ନେଇ ଭାରତର କ’ଣ ଭାବନା ରହିଛି, ସେକଥା ବେଜିଂକୁ ଅବଗତ କରାଯାଇଛି। ଭାରତ ସବୁବେଳେ ଚାଇନା ସହ ସୁସମ୍ପର୍କ ଚାହୁଁଛି। କିନ୍ତୁ ସମ୍ପର୍କ ସେତେବେଳେ ସ୍ୱାଭାବିକ ହେବ ଯେତେବେଳେ ସୀମା ବିବାଦର ସାମାଧାନ ହୋଇପାରିବ ବୋଲି ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର କହିଛନ୍ତି।

ସୂଚନାଯୋଗ୍ୟ ୨୦୨୦ରେ ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ସର୍ବୋଚ୍ଚ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା । ଭାରତ ଓ ଚୀନ ମଧ୍ୟରେଥିବା ସୀମା ବିବାଦର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ଅନେକଥର ଦ୍ୱିପାକ୍ଷିକ ଆଲୋଚନା ହୋଇସାରିଲାଣି । ପୂର୍ବ ଲଦାଖରେ ସମ୍ପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର କରିବା ପାଇଁ ଭାରତ ଚୀନକୁ ଅପିଲ କରିଛି।