ପୃଥ୍ଵୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରମାଣୁ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର ‘ପୃଥ୍ଵୀ-୨’ର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁରସ୍ଥିତ ଲଞ୍ଚ କଂପ୍ଲେକ୍ସ-୩ରୁ ‘ପୃଥ୍ଵୀ-୨’ର ପରୀକ୍ଷଣ ପୂର୍ବାହ୍ନ ୧୧ଟା ୩୫ ମିନିଟରେ କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୫୦ କିଲୋମିଟର। ଜାନୁଆରି ୧୮ ତାରିଖରେ ଅଗ୍ନି-୫ ଓ ଫେବୃଆରୀ ୬ ତାରିଖରେ ଅଗ୍ନି-୨ର ସଫଳ ପରୀକ୍ଷଣ ପରେ ଏହାର ପରୀକ୍ଷଣକୁ ଐତିହାସିକ କହିଛନ୍ତି ବୈଜ୍ଞାନିକ।
୫୦୦ରୁ ୧୦୦୦ କିଲୋଗ୍ରାମ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଥିବା ଏହି ଯୁଦ୍ଧାସ୍ତ୍ର ଅତ୍ୟାଧୁନିକ ଇଣ୍ଟେରିୟାଲ୍‌ ଗାଇଡିୟାନ୍ସ ସିଷ୍ଟମରେ ପରିଚାଳିତ ହୋଇଛି। ଡିଆରଡିଓର ରାଡାର ଓ ଇଲେକ୍ଟ୍ରୋ ଅପଟିକାଲ୍‌ ସହାୟତାରେ କ୍ଷେପଣାସ୍ତ୍ରର ଟ୍ରାକିଂ କରାଯାଇଥିଲା। ୨୦୦୩ ମସିହାରେ ଏହି ୯ ମିଟର ଲମ୍ବ କ୍ଷେପଣାସ୍ତ୍ରକୁ ଭାରତୀୟ ସେନାରେ ସାମିଲ କରାଯାଇଥିଲା। ଶେଷଥର ପାଇଁ ଜୁନ୍‌ ୨, ୨୦୧୭ରେ ‘ପୃଥ୍ଵୀ-୨’ର ପରୀକ୍ଷଣ ସଫଳ ହୋଇଥିଲା। ସିଙ୍ଗଲ୍‌ ଷ୍ଟେଜ୍‌ ଲିକ୍ୱିଡ୍‌ ଭର୍ତ୍ତି ‘ପୃଥ୍ଵୀ-୨’ ଡିଆରଡିଓର ଏଭଳି ଏକ କ୍ଷେପଣାସ୍ତ୍ର ଯାହା ସମନ୍ଵିତ ପରିଚାଳନା କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମ ପକ୍ଷରୁ ପ୍ରସ୍ତୁତ ହୋଇଛି।