ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ସମ୍ପତ୍ତିକୁ ଜବତ କଲା ଇଡି

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ତଥା ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି । ରାଜ୍ୟରେ ବୃକ୍ଷରୋପଣ ଓ ବନୀକରଣ କାର୍ଯ୍ୟକ୍ରମରେ ଦୁର୍ନୀତି ହୋଇଥିବା ନେଇ ପୂର୍ବତନ ଅତିରିକ୍ତ ପିସିସିଏଫ ଶ୍ରୀ ପାଠକଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ଜାରି ରହିଛି ।

ଇଡି ପକ୍ଷରୁ ଆଜି ମିଳିଥିବା ସୂଚନା ଅନୁସାରେ, ପ୍ରିଭେନସନ୍ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମଏଲଏ) ଅନ୍ତର୍ଗତ ପୂର୍ବତନ ଆଇଏଫଏସ୍ ଅଧିକାରୀ ଶ୍ରୀ ପାଠକଙ୍କ ଆୟବର୍ହିଭୂତ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଆୟ ବର୍ହିଭୂତ ସମ୍ପତ୍ତିର ପରିମାଣ ୨୯.୮୩ଲକ୍ଷ ଟଙ୍କା ହେବ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ସମ୍ପତ୍ତିକୁ ଜବତ କରିବା ପରେ ଶ୍ରୀ ପାଠକ ଏସବୁର ଉପଯୋଗ କରିପାରିବେ କିନ୍ତୁ ଏହାକୁ ବିକ୍ରି କିମ୍ବା କାହାରିକୁ ହସ୍ତାନ୍ତର କରିପାରିବେ ନାହିଁ ।

ସୂଚନାଯୋଗ୍ୟ, ଓଡ଼ିଶା କ୍ୟାଡ଼ରର ଆଇଏଫଏସ୍ ଅଧିକାରୀ ଶ୍ରୀ ପାଠକଙ୍କ ବିରୋଧ ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ଭିଜିଲାନ୍ସ ବିଭାଗ ୨୦୨୦ ନଭେମ୍ବର ୨୭ତାରିଖରେ ତାଙ୍କୁ ଗିରଫ କରିଥିଲା । ରାଜ୍ୟ ସରକାରଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାର ୨୦୨୧ ମେ’ ମାସରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବିଜେଡି ସରକାରର କାର୍ଯ୍ୟାନୁଷ୍ଠାନ ବେଳେ ତାଙ୍କର ସମ୍ପର୍କୀୟ ଭାବେ ଶ୍ରୀ ପାଠକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।