ପୁରୀ-ପାରାଦୀପ ଭିତରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା !

ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର ରୂପ କ’ଣ ରହିବ? ଏହା କେଉଁଠି ସ୍ଥଳଭାଗ ଛୁଇଁବ ଓ କେଉଁ ଦିଗରେ ଗତି କରିବ? ବାତ୍ୟା ଭୀଷଣ ନା କମ୍‌ ପ୍ରଭାବୀ ହେବ? ବିଶେଷଜ୍ଞମାନେ କରିଥିବା ପ୍ରାକ୍‌ ଆକଳନ ଅନୁଯାୟୀ ଏହା ପୁରୀରୁ ପାରାଦୀପ ଭିତରେ ସ୍ଥଳଭାଗ ଛୁଇଁପାରେ । ବାତ୍ୟା ବିଶେଷ ପ୍ରଭାବୀ ହେବନି । ପବନର ବେଗ ଘଣ୍ଟା ପ୍ରତି ୭୦କିମି ପାଖାପାଖି ରହିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ପ୍ରଫେସର ପଶୁପାଳକଙ୍କ ଆକଳନ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ବୁଧବାର ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଆସନ୍ତା ୫ ତାରିଖ ସକାଳୁ ଏହା ଲଘୁଚାପ ରୂପ ନେବ । କ୍ରମଶଃ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟା ରୂପ ନେବ । ୧୦ ତାରିଖ ସକାଳ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁପାରେ । ତେବେ ଏହା ଅଧିକ ଘନୀଭୂତ ହେବନି । ଏଥିପାଇଁ ବଡ଼ ବାତ୍ୟା ହେବାର ଆଶଙ୍କା କମ୍‌ । ପୁରୀ ବା ପାରାଦୀପ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ପବନର ବେଗ କିଲୋମିଟର ପିଛା ଘଣ୍ଟା ପ୍ରତି ୭୦କିମି ଭିତରେ ସୀମିତ ରହିବ ବୋଲି ପ୍ରଫେସର ପଶୁପାଳକ ଆକଳନ ଲଗାଇଛନ୍ତି । ଏହା ପ୍ରାକ୍‌ ଆକଳନ । ଲଘୁଚାପ ସୃଷ୍ଟି ହେଲା ପରେ ହିଁ ସ୍ପଷ୍ଟ ଚିତ୍ର ମିଳିବ ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୮ ତାରିଖ ରାତିରୁ ରାଜ୍ୟରେ ପାଗ ବଦଳିବ । ୯ ଓ ୧୦ତାରିଖରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଓ ଫୁଲବାଣୀରେ ଭାରୀ ବର୍ଷା ହେବ । ଅଧିକାଂଶ ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହେବ । ୧୧ରେ ବି ବର୍ଷା ଅଧିକ ସମ୍ଭାବନା ରହିଛି । ଲଘୁଚାପ ଓ ବାତ୍ୟା ପ୍ରଭାବରେ ୮ ତାରିଖରୁ ୧୧ ତାରିଖ ଯାଏ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସହ ପାଗ ମେଘୁଆ ରହିବ । ଫଳରେ ତାପମାତ୍ରା ବହୁ ମାତ୍ରାରେ କମିଯିବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବି ୭ ତାରିଖରୁ ତାପମାତ୍ରା କିଛି କମିବ ବୋଲି ପ୍ରଫେସର ପଶୁପାଳକ ସୂଚନା ଦେଇଛନ୍ତି ।

ସେପଟେ ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୦ ବେଳକୁ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଉତ୍ତର ଓ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ରହିବ । କିନ୍ତୁ ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗରେ ଅଧିକ ସମୟ ରହିିବ ବୋଲି ସେ ପ୍ରାକ୍‌ ଆକଳନ କରିଛନ୍ତି । ଆଗକୁ ସ୍ଥିତି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।