ପୁରୀ ଠାରୁ ୯୩୦ କିଲୋମିଟର ଦୂରରେ ବାତ୍ୟା ‘ଅସାନି’

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ର ଗଭୀର ଅବପାତ ରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି । ଘଣ୍ଟା ପ୍ରତି ଏହା ୧୪ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୯୩୦ କିଲୋମିଟର ଓ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି ।

୧୦ ତାରିଖ ସଂଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ଏହା ପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରିକର୍ଭ କରିବ ବାତ୍ୟା । ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି ।

ସ୍ଥଳଭାଗ ନ ଛୁଇଁ ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇପାରେ ବାତ୍ୟା। ଏହି ସମୟରେ ପବନର ବେଗ ୧୦୫-୧୧୫ ଓ ଝଟକା ପବନ ୧୨୫ ରହିପାରେ ଓ ଏହାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ । ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୧୨ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ରହିବା ସହ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ପବନର ବେଗ ବଢ଼ିବ । ଏହା ସହ ୪ଟି ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ।