ପୁଣି ସଲ୍ଲୁଙ୍କ ସହ ରୋମାନ୍ସ କରିବେ ପ୍ରିୟଙ୍କା

ଭୁବନେଶ୍ୱର :  ହଲିଉଡରେ ବ୍ୟସ୍ତ ଥିବା ପ୍ରିୟଙ୍କା ଚୋପ୍ରା ଏହି ବର୍ଷ ବଲିଉଡକୁ ଫେରୁଛନ୍ତି । ବଡ଼ ବଜେଟ ଚଳଚ୍ଚିତ୍ର ‘ଭାରତ’ରେ ପ୍ରିୟଙ୍କା ଦବଙ୍ଗ ଖାନ ସଲମାନଙ୍କ ବିପକ୍ଷରେ ନଜର ଆସିବେ । ତେବେ ଏ ନେଇ ପ୍ରିୟଙ୍କା ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମଧ୍ୟ ଫଟୋ ସେୟାର କରିଥିଲେ । ସଲମାନ ଏବଂ ପ୍ରିୟଙ୍କାଙ୍କୁ ‘ଭାରତ’ରେ ପ୍ରାୟ ୧୦ ବର୍ଷ ପରେ ଏକା ସାଙ୍ଗରେ ଦେଖିବାକୁ ମିଳିବ। ଟେଲି ସୋ’ ‘କ୍ୱାଣ୍ଟିକୋ’ର ସୁଟିଂରେ କରୁଥିବା ସମୟରେ‘ଭାରତ’ର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫରଙ୍କ ସହ ପ୍ରିୟଙ୍କାଙ୍କର ଏକ ଇଣ୍ଟରନ୍ୟାସନାଲ ସୋ’ରେ ଦେଖା ହୋଇଥିଲା । ଏହି ସମୟରେ ଅଲ୍ଲୀ ତାଙ୍କୁ ଅଭିନୟ ପାଇଁ ଅଫର ଦେଇଥିଲେ ବୋଲି ମିଡ଼ିଆ ସୂତ୍ରରୁ ଜଣାପଡ଼ିଛି । ଏହା ପୂର୍ବରୁ ସଲମାନ ଏବଂ ପ୍ରିୟଙ୍କାଙ୍କୁ ଏକା ସାଙ୍ଗରେ ‘ମୁଝସେ ସାଦି କରୋଗୀ’ , ‘ସଲାମେ ଇସ୍କ’ ଏବଂ ‘ଗଡ୍‌ ତୁସି ଗ୍ରେଟ ହୋ’ ଚଳଚ୍ଚିତ୍ରରେ ଦେଖାଯାଇଛି । ତେବେ ଏତେ ଦିନର ବ୍ୟବଧାନ ପରେ ଦୁହିଁଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ରହିଛି।