ପୁଣି ବଢିଲା ଏଲପିଜି ସିଲିଣ୍ଡର ଦର

ମାସ ଆରମ୍ଭରୁ ମହଙ୍ଗା ମାଡ । ଦେଶରେ ପୁଣି ବଢିଲା ଗ୍ୟାସ ଦର । ଆଜି ବ୍ୟବସାୟିକ ଏଲପିଜି ସିଲିଣ୍ଡର ପୁଣିଥରେ ମହଙ୍ଗା ହୋଇଛି । ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍‌ ୧୦୪ ଟଙ୍କା ବୃଦ୍ଧି ପାଇଛି । ଦର ବଢିବା ପରେ ଦିଲ୍ଲୀରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ୨୩୫୫.୫୦ ଟଙ୍କା ହୋଇଯାଇଛି । ସେହିପରି ୫ କେଜି ଗ୍ୟାସ ସିଲିଣ୍ଡର ଦର ୬୫୫ ଟଙ୍କାକୁ ବଢିଛି । ହେଲେ ଆଶ୍ଵସ୍ତିକର ବିଷୟ ଯେ, ଘରୋଇ LPG ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି ।

ଦେଶବ୍ୟାପୀ ଆଜିଠୁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ନୂଆ ଦର ଲାଗୁ ହୋଇଛି । ବର୍ତ୍ତମାନ କୋଲକାତାରେ ଏହି ଗ୍ୟାସ ଦର ୨,୪୫୫ ଟଙ୍କାକୁ ବୃଦ୍ଧି ପାଇଛି । ବାଣିଜ୍ୟ ନଗରୀ ମୁମ୍ବାଇରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମ୍ ୨୩୦୭ ଟଙ୍କା ହୋଇଥିବାବେଳେ ଚେନ୍ନାଇରେ ଦାମ୍ ୨୫୦୮ ଟଙ୍କାକୁ ବୃଦ୍ଧି ପାଇଛି । ରେସ୍ତୋରାଁ, ଚା’ ଷ୍ଟଲ ଏବଂ ଅନ୍ୟ ଭୋଜନାଳୟ ଗୁଡିକ ବ୍ୟବସାୟିକ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ତେଣୁ ଗ୍ୟାସ ଦାମ୍ ବଢିବା ସହ ଖାଦ୍ୟପଦର୍ଥ ମଧ୍ୟ ମହଙ୍ଗା କରିପାରନ୍ତି ଭୋଜନାଳୟ ମାଲିକ । ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରତିମାସରେ LPG ସିଲିଣ୍ଡର ଦରରେ ସଂଶୋଧନ କରାଯାଇଥିଲା ।

ଅନ୍ୟପଟେ ଦୀର୍ଘ ଦିନ ହେବ ଦେଶରେ ତେଲ ଦର ସ୍ଥିର ରହିଛି । ଶେଷଥର ପାଇଁ ଗତ ୬ ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୮୦ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା । ସେହିଦିନ ପରଠାରୁ ଦର ଅପରିବର୍ତ୍ତିତ ରହିଛି । ମାର୍ଚ୍ଚ ୨୨ ତାରିଖରୁ ତେଲ କମ୍ପାନୀମାନେ ଲଗାତାର ଭାବେ ଦର ବଢାଇ ଚାଲିଥିଲେ । ଲଗାଣ ବୃଦ୍ଧି ପରେ ୧୬ ଦିନ ମଧ୍ୟରେ ଦେଶରେ ତେଲ ଲିଟର ପିଛା ୧୦ ଟଙ୍କା ମହଙ୍ଗା ହୋଇଯାଇଥିଲା ।