ପୁଣି ଧରାପଡିଲା ଚୀନ୍‌ର ଚାଲାକି; ଏଲଏସିରେ ନିକଟରେ ସ୍ଥାପନ କଲା ୩ଟି ମୋବାଇଲ ଟାୱାର

ଚୀନ୍‌ ଏବେ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟସ୍ଥ ହଟସ୍ପ୍ରିଂ ପାଖ ଆଖରେ ୩ଟି ମୋବାଇଲ ଟାୱାର ସ୍ଥାପନା କରିଛି। ରବିବାର ଏହି ସୂଚନା ଦେଇଛନ୍ତି ଚୁସୁଲର ସ୍ଥାନୀୟ କର୍ପୋରେଟର କୋଞ୍ଚୋକ ସ୍ତାନଜିନ୍। ଏ ନେଇ ସେ ଏକ ଟ୍ୱିଟ୍‌ କରିଥିବା ବେଳେ ଏହା ଭାରତ ଲାଗି ଚିନ୍ତାର କାରଣ କି ନୁହେଁ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି।

ଚୀନ ନିର୍ମାଣ କରିଥିବା ମୋବାଇଲ ଟାୱାର ଭାରତ ସୀମାର ଖୁବ୍ ନିକଟରେ। ସୀମାବର୍ତ୍ତି ଭାରତର ଗ୍ରାମାଞ୍ଚଳକୁ ଏବେବି ମୋବାଇଲ ନେଟୱାର୍କ ଠିକରେ ପହଞ୍ଚି ପାରୁନଥିବା ବେଳେ ଚୀନ୍‌ ମୋବାଇଲ ଟାୱାରନେଇ ଚିନ୍ତା ହେବା ସ୍ୱଭାବିକ।

ଗତ ଜାନୁୟାରୀ ମାସରେ ଚୀନ୍‌ ପ୍ୟୋଙ୍ଗୟାଙ୍ଗ ହ୍ରଦ ଉପରେ ପକ୍କା ପୋଲ ନିର୍ମାଣ କରିଥିଲା। ସେତେବେଳେ ଭାରତ ଏହାର କଡା ବିରୋଧ କରିଥିଲା। ଏ ନେଇ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ମଧ୍ୟ ବୟାନ ଦେଇଥିଲେ। ଏଥିରେ ଚୀନ୍‌ ୬୦ ବର୍ଷରୁ ଊର୍ଦ୍ଧ୍ୱ କାଳ ହେଲା ନିୟନ୍ତ୍ରଣରେ ରଖିଥିବା ଭାରତୀୟ ଅଞ୍ଚଳରେ ପୋଲ ନିର୍ମାଣ କରୁଥିବା ସେତେବେଳେ ବାଗଚୀ କହିଥିଲେ।

ତେବେ ଭାରତ ଏପର୍ଯ୍ୟନ୍ତ ଚୀନ୍‌ର ଅତିକ୍ରମଣକୁ ସ୍ୱୀକାର କରି ନାହିଁ। ତେବେ ଚୀନ୍ ଜୋର ଜବରଦସ୍ତ ଏଠାରେ ନିର୍ମାଣ କାମ ଚଳାଇଛି। ଏଥିରେ ଚୁସୁଲ କର୍ପୋରେଟର ତାଙ୍କ ଅଞ୍ଚଳର ୧୧ଟି ଗାଁରେ ଏବେବି ଭାରତର ଫୋରଜି ନେଟୱାର୍କ ଉପଲବ୍ଧ ହେଉନଥିବାର କହିଛନ୍ତି। ଆମର ଏପରି ଅନେକ ଗାଁ ଅଛନ୍ତି ଯେଉଁଠିକୁ ଠିକରେ ମୋବାଇଲ ନେଟୱାର୍କ ଉପଲବ୍ଧ ହେଉ ନଥିବା ବେଳେ ଚୀନ୍‌ କୌଶଳ କରି ଲଦ୍ଦାଖ ନେଟୱାର୍କରେ ଇଣ୍ଟରଫେୟର କରିପାରେ ବୋଲି କର୍ପୋରେଟର ଆଶଙ୍କା ପ୍ରକାଶ କରିଛନ୍ତି।