ପୁଟିନଙ୍କୁ ଭେଟିବେ ଜାତିସଂଘ ମୁଖ୍ୟ

ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏନ୍ତୋନିୟୋ ଗୁତାରେସ ଆସନ୍ତା ସପ୍ତାହରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବାକୁ ମସ୍କୋ ଯିବେ । ଏହି କ୍ରମରେ ସେ ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କ ସହ ଆଲୋଚନା କରିବେ । ଏହାପରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିବାର ବି କାର୍ଯ୍ୟକ୍ରମ ରହିଛି ।

ଶୁକ୍ରବାର ଦିନ ଏନେଇ ବିଶ୍ୱ ସଂସ୍ଥା ସୂଚନା ଦେଇଛି । ଏନେଇ କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ କହିଛନ୍ତି କି ଗୁଟେରେସ ମଙ୍ଗଳବାର ଦିନ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କୁ ଭେଟିବେ । ଏହାପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବି ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ସଂଯୁକ୍ତ ରାଷ୍ଟ୍ରପକ୍ଷରୁ କୁହାଯାଇଛି କି ଗୁତାରେସ ବୁଧବାର ଦିନ ୟୁକ୍ରେନ ରାଷ୍ଟ୍ରପତି ବୋଲଦିମିରି ଜେଲେନସ୍କି ଓ ବିଦେଶମନ୍ତ୍ରୀ ଦିମିତ୍ରୋ କୁଲେବାଙ୍କ ସହ ଭେଟିବାକୁ ୟୁକ୍ରେନ ଗସ୍ତ କରିବେ । ସଂଯୁକ୍ତ ରାଷ୍ଟ୍ରର ପ୍ରବକ୍ତା ଏରୀ କାନେକୋ କହିଛନ୍ତି କି ଏହି ଉଭୟ ଗସ୍ତର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇ ଆଣିବା ।

ଗୁଟାରେସ ମଙ୍ଗଳବାର ଦିନ ଉଭୟ ଦେଶର ରାଷ୍ଟ୍ରପତିଙ୍କୁ ଭିନ୍ନ ଭିନ୍ନ ରାଜଧାନୀରେ ଭେଟ କରିବାକୁ କହିଛନ୍ତି । ଏହାସହ ଚଳିତମାସ ମଧ୍ୟରେ କିଭଳି ଯୁଦ୍ଧ ଉପରେ ରୋକ ଲଗାଯାଇ ପାରିବ ତାହା ଉପରେ ଆଲୋଚନା କରିବାକୁ ସଂଯୁକ୍ତ ରାଷ୍ଟ୍ରର ମୁଖ୍ୟ ମାନବାଧିକାର ଅଧିକାରୀଙ୍କୁ ମସ୍କୋ ଓ କ୍ୱିବ ପଠାଇଛନ୍ତି ।