ପଦ୍ମ ଧରିଲେ ନବରଙ୍ଗପୁର ସାଂସଦ ବଳଭଦ୍ର

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପିର ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ , ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ବଳଭଦ୍ର । ଏହାପୂର୍ବରୁ ୧୪ ତାରିଖରେ ବିଜେଡି ଛାଡିଥିଲେ ନବରଙ୍ଗପୁର ସାଂସଦ । ଦଳ ତାଙ୍କୁ ଅଣଦେଖା କରିଥିବାରୁ ସେ ବିଜେଡି ଛାଡିଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ ବଳଭଦ୍ର । ଏପରିକି ଶେଷ ମୁହୂର୍ତ୍ତରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ନ କରାଇବାରୁ ସେ ମର୍ମାହତ ବୋଲି କହିଥିଲେ ବଳଭଦ୍ର । ତେବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପଦୁଟିଏ କହିନଥିଲେ ବରଂ ଇସ୍ତଫାପତ୍ରରେ ନବୀନଙ୍କୁ ଭୂରି ଭୂରି ପ୍ରଂଶସା କରିଥିଲେ । ୪ ପୃଷ୍ଠା ସମ୍ବଳିତ ଇସ୍ତଫାପତ୍ରରେ ବଳଭଦ୍ର ଲେଖିଥିଲେ ଯେ, ସେ ସାଂସଦ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ନବରଙ୍ଗପୁରରେ ବିଭିନ୍ନ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ ହୋଇଛି । ଯେଉଁଥିରେ ରେଳପ୍ରକଳ୍ପ, ବିଦ୍ୟୁତୀକରଣ, ଶିକ୍ଷା, ଜଳସେଚନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ବିକାଶ ହୋଇଛି । ଆଉ ଏସବୁ ଆପଣଙ୍କ ବିନା ସହଯୋଗରେ କେବେ ବି ସଫଳ ହୋଇପାରି ନଥାଆନ୍ତା ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବଳଭଦ୍ର ।