‘ପଦ୍ମ’ ଧରିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ

ଭୁବନେଶ୍ୱର:ପଦ୍ମ’ ଧରିଲେ ପ୍ରତ୍ୟୁଷା । ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଙ୍କ ବାସଭବନରେ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି କନ୍ଧମାଳ ସାଂସଦ ପ୍ରୁତ୍ୟଷା ରାଜେଶ୍ୱରୀ ସିଂ । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ ବିଜେପି ବିଧାୟକ ଦଳ ନେତା କେ.ଭି ସିଂହ ଦେଓ ଉପସ୍ଥିତ ଥିଲେ । ରାଜନୀତି ସମୀକ୍ଷକଙ୍କ କହିବା ବୁତାବକ, ବିଜେଡିକୁ ବାଏ ବାଏ କହିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ମୁଡ୍ ଘଣ୍ଟାକେ ଘୋଡ଼ା ଛୁଟିଲା ଭଳି ଦେଖିବାକୁ ମିଳୁଛି । କାରଣ ଆଜି ନୟାଗଡ଼ରେ ବିଶାଳ ସମାବେଶ କରି କଂଗ୍ରେସରେ ସାମିଲ ହେବାପାଇଁ ପୂର୍ବରୁ ସ୍ଥିର ହୋଇଥିବା ଜଣାପଡ଼ିଥିଲା । ଏପରିକି ପ୍ରତ୍ୟୁଷା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଥିବା କହିଥିଲେ ପିସିସି ସଭାପତି । କିନ୍ତୁ ହଠାତ୍ ପ୍ରତ୍ୟୁଷାଙ୍କ ମୁଡ୍ ବଦଳିଲା ଆଉ ‘ହାତ’ ବଦଳରେ ପଦ୍ମ ଧରିଛନ୍ତି ପ୍ରତ୍ୟୁଷା । ସେପଟେ ପ୍ରତ୍ୟୁଷା ରାଜେଶ୍ୱରୀ କେଉଁଠାରୁ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ପୂର୍ବରୁ ନୟାଗଡ଼ ବିଧାନଭା କ୍ଷେତ୍ରରୁ ଟିକେଟ୍ ପାଇବା ପାଇଁ ବାରମ୍ବାର ଦାବି କରୁଥିବା ପ୍ରତ୍ୟୁଷାଙ୍କ ପାଇଁ ବିଜେପି ନୟାଗଡ଼ ଦ୍ୱାର ବନ୍ଦ ହୋଇସାରିଛି । କାରଣ ଦଳ ନୟାଗଡ଼ ବିଧାନସଭା କ୍ଷେତ୍ର ପାଇଁ ଇରାନୀ ରାୟଙ୍କୁ ଟିକେଟ୍ ଦେଇସାରିଛି । ତେବେ ବର୍ତ୍ତମାନ ପ୍ରତ୍ୟୁଷାଙ୍କୁ କେଉଁଠାରୁ ପ୍ରାର୍ଥୀ କରିବ ଦଳ ସେନେଇ କିଛି ସ୍ପଷ୍ଟ ସଂଙ୍କେତ ମିଳିପାରି ନାହିଁ ।