ପଟିଆଲା ହିଂସାର ମାଷ୍ଟରମାଇଣ୍ଡ ବରଜିନ୍ଦର ସିଂ ପରୱାନା ଗିରଫ

ପଞ୍ଜାବ ପଟିଆଲା ଠାରେ ଘଟିଥିବା ହିଂସାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବରଜିନ୍ଦର ସିଂ ପରୱାନାଙ୍କୁ ଗିରଫ କରାଯାଇଛି । ପଞ୍ଜାବ ପୋଲିସ ପକ୍ଷରୁ ରବିବାର ସକାଳ ୭.୩୦ ମିନିଟ ସମୟରେ ମୋହାଲୀ ଠାରୁ ତାଙ୍କୁ ଗିରଫ କରାଯାଇଛି । କୁହାଯାଉଛି କି ବଜିନ୍ଦର ଜଣେ ପେଶାଗତ ଅପରାଧୀ । ଏହି ମାମଲା ପୂର୍ବରୁ ତାଙ୍କ ନାମରେ ୪ ଟି ଅପରାଧିକ ମାମଲା ରହିଛି ।

ସୂଚନା ମୁତାବକ ଏହି ମାମଲାରେ ପୋଲିସ ମୋଟ ୬ ଅଭିଯୋଗ ଦାଖଲ କରିଛି । ଏହି୬ ଟି ଅଭିଯୋଗରେ ୨୫ ଜଣ ଅଭିଯୁକ୍ତଙ୍କ ନାମ ରହିଛି । ଏନେଇ ପୋଲିସ ପକ୍ଷରୁ ହରିଶ ସିଂଗଲା, କୁଲଦୀପ ସିଂ ଓ ଦଲଜୀତ ସିଂଙ୍କୁ ପ୍ରଥମେ ପୋଲିସ ଗିରଫ କରିସାରିଛି । ସେପଟେ ରବିବାର ସକାଳେ ମୋହାଲୀ ବିମାନବନ୍ଦର ଇନସ୍ପେକ୍ଟର ଶମିନ୍ଦର ସିଂଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ବରଜିନ୍ଦରଙ୍କୁ ଗିରଫ କରିଛି । ସେ ମୁମ୍ବାଇରୁ ଆସି ମୋହାଲୀ ବିମାନ ବନ୍ଦରରେ ଓହ୍ଲାଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି ।

ବରଜିନ୍ଦର ଜଣେ ପେଶାଗତ ଅପରାଧୀ ବୋଲି କୁହାଯାଉଛି । ୧୯୮୪ ମସିହାରେ ଜନ୍ମିତ ବରଜିନ୍ଦର ସ୍ନାତୋକ ପାସ କରିବା ପରେ ଦୁଇବର୍ଷ ପାଇଁ ସିଙ୍ଗାପୁର ପଳାଇଯାଇଥିଲେ । ସେଠାରେ ଫେରିବା ପରେ ସେ ଭାରତରେ କିଛି ଅପରାଧୀକ ତତ୍ତ୍ୱଙ୍କ ସହ ମିଶି ଅପରାଧ ଆରମ୍ଭ କରିଦେଇଥିଲା । ଏହାସହ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସର୍ବାଧିକ ଆତଙ୍କବାଦୀ ଗତିବିଧିକୁ ପ୍ରୋତ୍ସାହିତ କରିବା ଭଳି କଣ୍ଟେଣ୍ଟ ପୋଷ୍ଟ କରୁଥିବା ପୋଲିସ କହିଛି ।

ଗତବର୍ଷ ଜୁଲାଇ ୮ ତାରିଖରେ ମୋହାଲୀ ଠାରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଶିବସେନା ନେତା ସୁଧୀର ସୁରୀଙ୍କ ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରାଯାଇଥିଲା ।