ପଞ୍ଚଭୂତରେ ବିଲୀନ ହେଲେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଓଡିଶା ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି । ଆରପାରିକୁ ଚାଲିଯାଇଛନ୍ତି ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷ ହୋଇଛି ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ।ବଡପୁଅ ମହାଦୀପ କର ପ୍ରଫୁଲ୍ଲ କରଙ୍କୁ ମୁଖାଗ୍ନୀ ଦେଇଥିଲେ । ଶେଷ କୃତ୍ୟ ସମୟରେ ସାନ ପୁଅ ମହାପ୍ରସାଦ କର, କନ୍ୟା ସନ୍ଧ୍ୟାଦୀପ କର, ପୁତ୍ର ବଧୁ ନାତି ନାତୁଣୀ ଓ ସଙ୍ଗୀତ ପ୍ରେମୀ , ବୁଦ୍ଧିଜିବୀ ଓ ସାଧାରଣ ବ୍ୟକ୍ତି ଉପସ୍ଥିତ ଥିଲେ ।

ଶେଷ ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସ ବର୍ମା, ପଞ୍ଚାୟତ ରାଜି ଓ ପାନୀୟ ଜଳ , ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ପୁରୀ ବିଧାୟକ ଜୟନ୍ତ୍ରୀ ଷଡଙ୍ଗୀ ଉପସ୍ଥିତ ରହି ସ୍ୱର୍ଗ ଦ୍ୱାରରେ ପଦ୍ମଶ୍ରୀ କରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶେଷ ଦର୍ଶନ କରିଥିଲେ ।

ଗତକାଲି ରାତିରେ ୮୩ ବର୍ଷ ବୟସରେ ଆର ପାରିକୁ ଚାଲିଯାଇଥିଲେ ପ୍ରଫୁଲ କର । ତାଙ୍କ ବିୟୋଗରେ ସଙ୍ଗୀତ ଜଗତ ନିରବି ଯାଇଛି । ଓଡିଶା ସଙ୍ଗୀତ ଜଗତର ଏକ ଅବଶାନ ଘଟିଛି । ସେ ଥିଲେ କମଳ ଦେଶର ରାଜ କୁମାର । ୨୦୧୫ ମସିହାରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ ପ୍ରଫୁଲ୍ଲ କର । ୨୦୦୪ ଜୟଦେବ ପୁରସ୍କାରର ମଧ୍ୟ ପାଇଥିଲେ ,୨୦୦୬ ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ୨୦୦୯ ମସିହାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଥିଲେ । ଓଡିଶା ସଙ୍ଗୀତ ଜଗତକୁ ପ୍ରଫୁଲ୍ଲ କରଙ୍କ ବହୁ ଅବଦାନ ରହିଛି ।