ନୂତନ ଅବକାରୀ ନୀତି; ହ୍ରାସ ହେବ ମଦ

ମଦପ୍ରିୟ ଯୁବକଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବାକୁ ଯାଉଛି ମଦ । ନୂତନ ଅବକାରୀ ନୀତି ଅନୁଯାୟୀ ରାଜ୍ୟ ସରକାର ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ଶୁଳ୍କ ହ୍ରାସ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ଭିତରେ ତିଆରି ହେଉଥିବା ବିଦେଶୀ ମଦ ଉପରେ ଶୁଳ୍କ ଅପରିବର୍ତ୍ତିତ ରହିଛି ।

ରାଜ୍ୟରେ ଦର ପ୍ରଭେଦକୁ ଦୂର କରି ଉତ୍ତମମାନର ମଦ ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ନୂଆ ନୀତିରେ, ଲାଇସେନ୍ସ ଫି, ମିନିମମ୍ ଗ୍ୟାରେଣ୍ଟେଡ୍ କୋଟା, ଯୋଗାଣକାରୀ, ପ୍ରସ୍ତୁତକାରୀ ସଂସ୍ଥା ଓ ବ୍ୟବସାୟୀଙ୍କ ପାଇଁ ଆବେଦନ ଦେୟ ବୃଦ୍ଧି ପାଇଛି । ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ପରି ମହାନଗର ନିଗମ ଅଞ୍ଚଳମାନଙ୍କରେ ପ୍ରିମିୟମ ଅଫ୍ ସପ୍ ଓପନିଂ କରିବା ନେଇ ବ୍ୟବସ୍ଥା ରହିଛି । ରେସ୍ତୋରାଁ ବିନା ବର୍ଷକୁ ୫ ଲକ୍ଷ ହିସାବରେ ଠିପି ଖୋଲା ମଦ ଦୋକାନ ଖୋଲିବାର ସୁଯୋଗ ସୃଷ୍ଟି କରାଯାଇଛି । ପୂର୍ବରୁ ରେସ୍ତୋରାଁ ବିନା ଏହି ଅନ୍ ସପ୍ ଖୋଲାଯାଇ ପାରୁନଥିଲା । ବାର୍ ଲାଇସେନ୍ସର ଦେୟ କମ୍ କରାଯାଇଛି ।

ନୂଆ ନୀତିରେ ଅବକାରୀ ବିଭାଗକୁ ମଜବୁତ୍ କରିବାକୁ ଯୋଜନା କରାଯାଇଛି । ଏଥିସହିତ ଗୁଇନ୍ଦା ସଂଗ୍ରହ, ଏନଫୋର୍ସମେଣ୍ଟ ପାଇଁ କର୍ମଚାରୀଙ୍କ ନିୟୋଜନ, ଉତ୍ତମ ଭିତ୍ତିଭୂମି, ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ବଜାରରେ ଯେଭଳି ଅନଭିଜ୍ଞ ଯୋଗାଣକାରୀ ସଂସ୍ଥା ପ୍ରବେଶ ନ କରିବେ ସେଥିପାଇଁ ବ୍ରାଣ୍ଡ ପଞ୍ଜୀକରଣ କରିବା ସିଷ୍ଟମରେ କିଛି ନିୟମ ଲାଗୁ କରାଯାଇଛି । ଠାକୁର କିମ୍ବା କୌଣସି ବିଶିଷ୍ଟ ଲୋକଙ୍କ ନାମରେ ଏଣିକି କୌଣସି ମଦଦୋକାନ ନାଁ ଦିଆଯାଇ ପାରିବ ନାହିଁ । କୌଣସି ଦୋକାନୀ ସରକାରୀ ମଦ ଦୋକାନ ନୁହେଁ, ସ୍ୱୀକୃତିପ୍ରାପ୍ତ ଲେଖିବେ ବୋଲି କୁହାଯାଇଛି ।