ନିର୍ବାଚନୀ ତାରିଖ ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା : ଖୁବ୍ ଶୀଘ୍ର ଘୋଷଣା ହେବ ପ୍ରଥମ ପର୍ଯ୍ୟାୟ ତାଲିକା

ଭୁବନେଶ୍ୱର : ଗତକାଲି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ୍ । ମୋଟ ୭ଟି ପର୍ଯାୟରେ ନିର୍ବାଚନ ହେବ । ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମେ’ ମାସ ୧୯ ତାରିଖରେ ସପ୍ତମ ଅର୍ଥାତ୍ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ । ସେହିପରି ଓଡିଶାରେ ୪ଟି ପର୍ଯ୍ୟାୟରେ ଏପ୍ରିଲ ୧୧, ୧୮, ୨୩ ଏବଂ ୨୯ ତାରିଖରେ ମତଦାନ ହେବ । ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ଏକାସଙ୍ଗେ ମତଦାନ ନିଆଯିବ । ମେ’ ୨୩ ତାରିଖରେ ମତଗଣନା ହୋଇ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନୀ ତାରିଖ ଘୋଷଣା ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ତାରିଖ ଘୋଷଣାକୁ ସ୍ୱାଗତ କରିବା ସହିତ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ନବୀନ । ଏଥିସହିତ ଖୁବ୍ ଶୀଘ୍ର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।