ଦେଶର ୧୭୦ଟି ଜିଲ୍ଲାକୁ କୋଭିଡ-୧୯ ହଟସ୍ପଟ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ୧୭୦ ଟି ଜିଲ୍ଲାକୁ କୋଭିଡ -୧୯ ହଟସ୍ପଟ୍ ଭାବରେ ଚିହ୍ନଟ କରିଛନ୍ତି । ଏହାକୁ ରେଡ୍ ଜୋନ୍ ଅନ୍ତର୍ଗତ ଶ୍ରେଣୀଭୁକ୍ତ କରିଛନ୍ତି, ଯେଉଁଥିରେ କୋରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ କଡା କଟକଣା ଲାଗିବ। ଦେଶର ୧୭୦ଟି ଜିଲ୍ଲାକୁ କୋଭିଡ-୧୯ ହଟସ୍ପଟ ଘୋଷଣା

ସେଥିମଧ୍ୟରୁ ୧୨୩ ଟି ଜିଲ୍ଲାରେ କୋରୋନା ସଂଖ୍ୟା ଅଧିକ ରହିଛି । ଓ ଅନ୍ୟ ୪୭ଟି କ୍ଲଷ୍ଟର ଜିଲ୍ଲା ଭାବେ ଘୋଷଣା କରାଯାଇଛି । ଏହାସହ ୨୦୭ଟି ନନ୍-ହଟସ୍ପଟ ସ୍ଥାନ ଭାବରେ ଘୋଷଣା କରାଯାଇଛି ।

ଅଧିକ ମାମଲା ସାମ୍ନାକୁ ଆସିଥିବା ଜିଲ୍ଲାକୁ ହଟସ୍ପଟ ଓ ଯେଉଁଠି ଅଳ୍ପ ମାମଲା ସାମ୍ନାକୁ ଆସିଛି, ତାହାକୁ ନନ-ହଟସ୍ପଟ ଓ ଯେଉଁଠି କିଛି ବି ମାମଲା ନାହିଁ ସେହି ସ୍ଥାନକୁ ଗ୍ରୀନ ଜୋନ୍ ଭାବେ ଚିହ୍ନଟ କରାଯାଇଛି । ତାମିଲନାଡୁର ୨୭ଟି ଜିଲ୍ଲା ମଧ୍ୟରୁ ୨୨ଟି ଜିଲ୍ଲା କୋରୋନା ହଟସ୍ପଟ । ଏହି ରାଜ୍ୟର ସର୍ବାଧିକ ଜିଲ୍ଲାକୁ ଚିହ୍ନଟ କରାଯାଇଛି । ଏହାପରେ ମହାରାଷ୍ଟ୍ରର ୧୪ଟି ଜିଲ୍ଲା, ଆନ୍ଧ୍ରପ୍ରଦେଶର ୧୧ଟି ଓ ଦିଲ୍ଲୀର ୧୦ଟି ଜିଲ୍ଲା ଚିହ୍ନଟ କରାଯାଇଛି ।

୬୦୦ ରୁ ଅଧିକ ମାମଲା ଥିବା ତେଲେଙ୍ଗାନା ତାଲିକାରେ ୯ଟି ହଟସ୍ପଟ୍ ଜିଲ୍ଲା ରହିଛି । ଏହାପରେ ପଞ୍ଜାବ, ଜାମ୍ମୁ କାଶ୍ମୀର ଏବଂ କର୍ଣ୍ଣାଟକରେ ୮ଟି, କେରଳ ୭ଟି, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ହରିୟାଣାରେ ୬ ଟି ମାମଲା ରହିଛି। ଆସାମ ଏବଂ ହିମାଚଳ ପ୍ରଦେଶରେ ଏହିପରି ୫ଟି ଜିଲ୍ଲା ରହିଛି । ରେଡ୍ ଜୋନରେ ବିହାର ଏବଂ ପଶ୍ଚିମବଙ୍ଗର ପ୍ରତ୍ୟେକଟି ୪ଟି ଜିଲ୍ଲା ଅଛି ।

ସରକାର ମଧ୍ୟ ୨୦୭ ଟି ଜିଲ୍ଲାକୁ ନନ୍-ହଟସ୍ପଟ୍ ଜିଲ୍ଲା ଭାବରେ ଚିହ୍ନଟ କରିଛନ୍ତି । ଏହାକୁ ହ୍ୱାଇଟ୍ ଜୋନ୍ ଅନ୍ତର୍ଭୁକ୍ତ କରାଯାଇଛି । ୩୫୩ ଟି ଜିଲ୍ଲା ଗ୍ରୀନ୍ ଜୋନ୍ ଅଧୀନରେ ରହିଛି । ଗ୍ରୀନ୍ ଜୋନ୍ ଅଧୀନରେ ଥିବା ୩୫୩ ଟି ଜିଲ୍ଲାକୁ ଏପ୍ରିଲ୍ ୨୦ ରୁ ଲକ୍ ଡାଉନରୁ ଆଶ୍ୱସ୍ତି ମିଳିପାରିବ ।