ଦେଶର ବିକାଶ ଏବଂ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନର ଭୂମିକା ମହତ୍ୱପୂର୍ଣ୍ଣ -ଧର୍ମେନ୍ଦ୍ର ପ୍ରଧାନ

ିଏସ୍‌ଆଇଆର-ଆଇଏମ୍‌ଏମ୍‌ଟିର ‘ଷଷ୍ଠ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଦେଶର ବିକାଶ ଏବଂ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନ, ଜ୍ଞାନକୌଶଳ, ନବଉନ୍ମେଷର ଭୂମିକା ମହତ୍ୱପୂର୍ଣ୍ଣ ବୋଲି ଶନିବାର ବିଜ୍ଞାନ ଏବଂ ଶିଳ୍ପ ଗବେଷଣା ପରିଷଦ – ଖଣିଜ ଏବଂ ପଦାର୍ଥ ପ୍ରାଧୋଗିକ ସଂସ୍ଥା, ଭୁବନେଶ୍ୱର (ସିଏସଆଇଆର- ଆଇଏମଏମଟି) ପକ୍ଷରୁ ଆୟୋଜିତ ଷଷ୍ଠ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ ୨୦୨୦ରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
“ଆତ୍ମନିର୍ଭର ଭାରତ ଏବଂ ବିଶ୍ୱ କଲ୍ୟାଣ ପାଇଁ ବିଜ୍ଞାନ” ଶୀର୍ଷକ ଏହି ଭର୍ଚୁଆଲ ସମାରୋହରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କୋଭିଡ୍‌-୧୯ର ପରିସ୍ଥିତି ଆଜି ନୂତନତ୍ୱକୁ ପ୍ରଧାନ୍ୟ ଦେବାର ନୂଆ ମାର୍ଗ ଦେଖାଇଛି ଏବଂ ପୂର୍ବାପେକ୍ଷା ବିଜ୍ଞାନର କ୍ଷମତାକୁ ଅଧିକ ସୁଦୃଢ଼ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଶିକ୍ଷା ଦେଇଛି । ଏହି ଅବସରରେ ସେ ଦେଶର ବୈଜ୍ଞାନିକ ସମୁଦାୟଙ୍କୁ ବାସ୍ତବ ଜୀବନର ଶିଳ୍ପ ଏବଂ ସାମାଜିକ ସମସ୍ୟାର ସମାଧାନ କରିବା ଏବଂ ‘ଇନୋଭେଟ୍ ଫର୍ ଇଣ୍ଡିଆ’ ଦିଗରେ ଅଧିକ କାମ କରିବାକୁ ଆହ୍ୱାନ କରିଛନ୍ତି ।
ଦେଶର ବୈଜ୍ଞାନିକ ସମୂହମାନେ ପ୍ରମାଣିତ କରିଛନ୍ତି ଯେ ଯେତେବେଳେ ଦେଶ ଆହ୍ୱାନର ସମ୍ମୁଖୀନ ହୁଏ ସେତେବେଳେ ସେମାନଙ୍କ ଦ୍ୱାରା ଇନୋଭେସନ ହିଁ ଆମକୁ ସେହି ଆହ୍ୱାନରୁ ଉଦ୍ଧାର କରିଥାଏ । ମହାକାଶ ଠାରୁ କୃଷି, ଔଷଧ ଠାରୁ ତୈଳ, ଗ୍ୟାସ ଏବଂ ଇସ୍ପାତ୍ ଯାଏଁ ଦେଶର ବୈଜ୍ଞାନିକମାନେ ଆତ୍ମନିର୍ଭର ହେବା ସହ ବିଶ୍ୱର ସାମଗ୍ରିକ କଲ୍ୟାଣ କରିବାରେ ବହୁତ ବଡ଼ ସଫଳତା ହାସଲ କରିଛନ୍ତି । ଆଇଆଇଏସଏଫ-୨୦୨୦ ସଫଳତା ପାଇବା ସହ ଏହା ବିଜ୍ଞାନ ଏବଂ ସମାଜ ସହିତ ଯୋଡ଼ିହୋଇ ଭାରତକୁ ଅଧିକ ଆତ୍ମନିର୍ଭର କରିବା ପାଇଁ ନୂଆ ନୂଆ ଉଦ୍ୟୋଗୀ ଇନୋଭେସନ ଆଣିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହର୍ଷବର୍ଦ୍ଧନ, ଡିଏସଆଇଆରର ଡିସି, ସିଏସଆଇଆର ଏବଂ ସଚିବ ଡା. ଶେଖର ସିଂ ମାଣ୍ଡେ, ସିଏସଆଇଆର- ଆଇଏମଏମଟିର ନିେର୍ଦ୍ଦେଶତ ସୁଧାସତ୍ୱା ବାସୁ ପ୍ରମୁଖ ଯୋଗଦେଇଥିଲେ ।