ଦେଶର ଚାଷୀମାନଙ୍କ ଝିଅଙ୍କ ପାଠପଢ଼ା ଓ କଲ୍ୟାଣ ପାଇଁ ନିଜ ଦରମାକୁ ଖର୍ଚ୍ଚ କରିବେ ହରଭଜନ

ଦେଶର ଚାଷୀମାନଙ୍କ ଉଦେଶ୍ୟରେ ନିଜ ଦରମାକୁ ଖର୍ଚ୍ଚ କରିବେ କ୍ରିକେଟରୁ ରାଜନେତା ବନିଥିବା ହରଭଜନ ସିଂହ | ଏନେଇ ସେ ଆଜି ଏହି ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟସଭାରୁ ପାଇବାକୁ ଥିବା ଦରମା ସବୁ ଦେଶର ଚାଷୀମାନଙ୍କ ଝିଅଙ୍କ ପାଠପଢ଼ା ଓ କଲ୍ୟାଣ ପାଇଁ ଦେବେ ବୋଲି କହିଛନ୍ତି। ଏଥିସହ ଜଣେ ରାଜ୍ୟସଭା ସଦସ୍ୟ ହିସାବରେ ଦେଶର ଉନ୍ନତି ପାଇଁ ଯାହା ସବୁ ଦରକାର ନିଜର କ୍ଷମତା ବଳରେ ସେସବୁ କରିବେ ବୋଲି ମଧ୍ୟ ହରଭଜନ ସିଂହ କହିଛନ୍ତି।

ପଞ୍ଜାବରେ କ୍ଷମତାସୀନ ଆପ୍‌ ସରକାର ହରଭଜନକୁ ରାଜ୍ୟସଭାକୁ ପଠାଇଛି। ସେ ଆପ୍‌ ପ୍ରାର୍ଥୀ ଭାବେ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଆଜି ଭଜି ଟ୍ୱିଟ କରି କହିଛନ୍ତି, “ଜଣେ ରାଜ୍ୟସଭା ସଦସ୍ୟ ହିସିବାରେ ମୁଁ ମୋର ରାଜ୍ୟସଭା ଦରମାକୁ ଚାଷୀମାନଙ୍କ ଝିଅଙ୍କ ଶିକ୍ଷା ଓ କଲ୍ୟାଣ କ୍ଷେତ୍ରରେ ବିନିଯୋଗ କରିବାକୁ ଚାହୁଁଛି। ଆମେ ଦେଶର ଉନ୍ନତି ପାଇଁ ମୁଁ ଏଠାକୁ ଆସିଛି। ମୋ ଦ୍ୱାରା ଯାହା ସମ୍ଭବ ହୋଇପାରିବ, ମୁଁ କରିବି। ଜୟ ହିନ୍ଦ।”

ପଞ୍ଜାବରେ ଆପ କ୍ଷମତା ଦଖଲ କରିବା ପରେ ହରଭଜନ ସିଂହ, ରାଘବ ଚଢ଼ା, ଲଭଲୀ ପ୍ରଫେସନାଲ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଶୋକ ମିତ୍ତଲ, ଆଇଆଇଟି ଦିଲ୍ଲୀ ପ୍ରଫେସର ସନ୍ଦୀପ ପାଠକ ଓ ଶିଳ୍ପପତି ସଞ୍ଜୀବ ଅରୋରାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଏହାପରେ ଆପର ସମସ୍ତ ପ୍ରାର୍ଥୀ ନିର୍ନ୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ସୂଚନାଯୋଗ୍ୟ, ହରଭଜନ ସିଂହ ୨୦୨୧ ଡିସେମ୍ବର ମାସରେ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଥିଲେ। ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲା |