ଦେଶରେ କର୍ଫ୍ୟୁ ଜାରି କରିଛନ୍ତି ଶ୍ରୀଲଙ୍କା ସରକାର

ଦେଶରେ ଅର୍ଥନୀତି ବିଗିଡ଼ି ଯାଇଥିବାରୁ ଶ୍ରୀଲଙ୍କାରେ ବିଦ୍ରୋହର ନିଆଁ ଜଳୁଛି। ସରକାରଙ୍କ ବିରୋଧରେ ସାରା ଦେଶରେ ଜନ ଆନ୍ଦୋଳନ ମୁଣ୍ଡ ଚେକିଛି। ଜଳାପୋଡ଼ା ଭଙ୍ଗାରୁଜା ଚାଲିଥିବାରୁ ବାଧ୍ୟ ହୋଇ ୩୬ ଘଣ୍ଟା ପାଇଁ ପୂରା ଦେଶରେ କର୍ଫ୍ୟୁ ଜାରି କରିଛନ୍ତି ଶ୍ରୀଲଙ୍କା ସରକାର।ଶନିବାର ସନ୍ଧ୍ୟା ୬ ଠାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି।

କର୍ଫ୍ୟୁ ସମୟରେ ଅତି ଆବଶ୍ୟକ କାମ ନ ପଡ଼ିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଦେଶରେ ମହଙ୍ଗା ମାଡ଼, ଶକ୍ତି ସମ୍ଭଳର ଅଭାବ ଓ ନିଯୁକ୍ତି ସମସ୍ୟା ଯୋଗୁ ସରକାରଙ୍କ ଉପରେ ଲୋକଙ୍କ ରାଗ ଚମର ସୀମାରେ ପହଞ୍ଚିଛି।

ସ୍ୱାଧୀନତା ପରଠାରୁ ଏବେ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ପରିସ୍ଥିତିର ସାମ୍ନା କରିଛି। ଆବଶ୍ୟକୀୟ ଆମଦାନୀ ପାଇଁ ବିଦେଶୀ ମୁଦ୍ରା ପୈଠ କରିବାକୁ ଶ୍ରୀଲଙ୍କା ପାଖରେ ଟଙ୍କା ନାହିଁ। ଶ୍ରୀଲଙ୍କାରେ ବର୍ତ୍ତମାନ ଡିଜେଲର ଅଭାବ ଦେଖାଦେଇଛି। ଏଥିପାଇଁ ପରିବହନ ବିଭାଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ବସ୍‌ମାଲିକମାନଙ୍କ ମଧ୍ୟରେ ଗାଡ଼ି ଚଳାଚଳ ପାଇଁ ଭାଳେଣି ପଡ଼ିଗଲାଣି। ଆଉ ପରିବହନ କରିବା ସମ୍ଭବ ନୁହେଁ ବୋଲି ମାଲିକମାନେ କହୁଛନ୍ତି। ଦେଶରେ ଉତ୍ତେଜନା ସ୍ଥିତି ଯୋଗୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଶୁକ୍ରବାର ଠାରୁ ଦେଶରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି।