ଦିଲ୍ଲୀରେ କଂଗ୍ରେସ ନେତା: ଠାକୁର ଦେଖାକୁ କଦଳି ବିକା

ଭୁବନେଶ୍ବର: ଦିଲ୍ଲୀ ଗ୍ରସ୍ତରେ ବାହାରିଛନ୍ତି ରାଜ୍ୟ କଂଗ୍ରେସ ନେତାଏ । ରାଷ୍ଟ୍ରପତି ନିର୍ବାଚନ ଲାଗି ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ ୟୁପିଏ ପ୍ରାର୍ଥୀ ମୀରା କୁମାର । ଏନେଇ କଂଗ୍ରେସ ତରଫରୁ ୫ ସେଟ୍‌ ନାମାଙ୍କନ ପତ୍ର ଦାଖଲ କରାଯିବ । ମୀରା କୁମାରଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ ପ୍ରସ୍ତାବକ ରହିବେ ଓଡିଶାର ୭ କଂଗ୍ରେସ ନେତା । ପ୍ରଥମ ସେଟ୍‌ରେ ଆଜି ଭୁଜବଳ ମାଝି, ଜ୍ୟାକବ ପ୍ରଧାନ, କୃଷ୍ଣଚନ୍ଦ୍ର ସଗରିଆ ପ୍ରସ୍ତାବକ ସାଜିଛନ୍ତି ।

ମୀରା କୁମାରଙ୍କ ପ୍ରାର୍ଥୀପତ୍ରରେ ରହିବେ ପ୍ରସ୍ତାବକ

ସେହିପରି ଆସନ୍ତାକାଲି କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ବିଧାୟକ ଯୋଗେଶ ସିଂହ, ଚନ୍ଦ୍ରଶେଖର ମାଝି, ଅଂଶୁମାନ ମହାନ୍ତି ପ୍ରସ୍ତାବକ ସାଜିବେ । ହେଲେ ପିସିସି ସଭାପତି ପରିବତ୍ତନ ଲାଗି ପଞ୍ଚାୟତ ନିର୍ବାଚନ  ପୂର୍ବରୁ ଅଡି ବସିଥିବା ଏହି ବିଧାୟକ ମାନେ ଗୋଟିଏ ମାଡରେ ଠାକୁର ଦେଖାକୁ କଦଳୀ ବିକା ନ୍ୟାୟ ଆପଣେଇବା ମୁଡରେ ଥିବା ଚର୍ଚ୍ଚା ହେଉଛି । ରାଷ୍ଟ୍ରପତି ପଦ ଲାଗି ମିରା କୁମାରଙ୍କ ନାମାଙ୍କନ ପତ୍ର  ଦାଖଲପରେ  ଏହି ନେତା ମାନେ ଏାଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାର ସୂଚନା ମିଳିଛି । ଏମାନେ ସବୁ ପିସିସି ସଭାପତିଙ୍କୁ ହଟାବା ଲାଗି ସୋନିଆଙ୍କ ଉପରେ ଚାପ ପକାଇବେ ବୋଲି ସୂଚନା ମିଳିଛି ।

( ଫାଇଲ ଫଟୋ)