ଦିବ୍ୟାଙ୍ଗଙ୍କ ପାଇଁ ରାଜଧାନୀରେ ଖୋଲିଲା ସ୍ୱତନ୍ତ୍ର ପାର୍କ

ଦିବ୍ୟାଙ୍ଗଙ୍କ ପାଇଁ ରାଜଧାନୀରେ ସ୍ୱତନ୍ତ୍ର ପାର୍କ । ମାନସିକ, ଶାରିରୀକ ଭାବେ ଅକ୍ଷମ ପିଲା ସୁବିଧାରେ ଖେଳକୁଦ ସାଙ୍ଗକୁ ମନୋରଞ୍ଜନ ଓ ଥେରାପି ନେଇ ପାରିବେ ଏହି ପାର୍କରେ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ସହିଦ ନଗରରେ ସେନସୋରି ପାର୍କ ଉଦଘାଟିତ ହୋଇଛି । ୧ ଏକର ଜମିରେ ୧ କୋଟି ଟଙ୍କା ବ୍ୟୟରେ ଆଧୁନିକ ଯନ୍ତ୍ରପାତି ରହିଛି ଏହି ପାର୍କରେ । ଏହାକୁ ଆଜି ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି ।

ସାଧାରଣ ପିଲାଙ୍କ ପରି ଦିବ୍ୟାଙ୍ଗ ବି ପାର୍କରେ ଖେଳିବେ, ବୁଲିବେ । ସେଥିପାଇଁ ସ୍ୱତନ୍ତ୍ର ସେନସୋରି ପାର୍କ ସହିଦନଗର ଠାରେ ତିଆରି ହୋଇଛି । ଭାରତର ପ୍ରଥମ ଦିବ୍ୟାଙ୍ଗ ପାର୍କ ଭାବେ ଏହା ନିର୍ମାଣ ହୋଇଛି । ମାନସିକ ବିକାରଗ୍ରସ୍ତ ପିଲାମାନେ ବି ଏଠାରେ ସମୟ ବିତାଇ ପାରିବେ । ସମସ୍ତ ଖେଳକୁଦ ସାମଗ୍ରୀ ଓ ମନୋରଞ୍ଜନ ଉପକରଣ ଗୁଡ଼ିକ ପିଲାଙ୍କ ସୁରକ୍ଷାକୁ ଆଖିରେ ରଖି କରାଯାଇଛି । ପିଲାମାନେ ପଡ଼ିଲେ ବି ଆଘାତ ନହେବା ପାଇଁ ସମ୍ପୂର୍ଣ୍ଣ ପଡ଼ିଆରେ ସଫ୍ଟ ସିନ୍ଥେଟିକ ଲାଇନିଂ ବିଛା ଯାଇଛି ।

ସେନ୍ସ ମାଧ୍ୟମରେ ଖେଳକୁଦ କରିବାର ସୁଯୋଗ ଆଣିଛି ସେନସୋରି ପାର୍କ । ୨୦୧୮ ମସିହାରୁ ଏହି ପାର୍କ ପାଇଁ ଶୁଭ ଦିଆଯାଇଥିବା ବେଳେ ପ୍ରଥମେ ଜମିଜମା ମାମଲାକୁ ନେଇ ବନ୍ଦ ରହିଥିଲା କାମ । ପରେ କୋଭିଡ୍ ଯୋଗୁଁ ବିଳମ୍ବ ହୋଇଥିବା ବେଳେ ଦୁଇ ବର୍ଷ ପରେ ଆଜି ଏହାର ଉଦଘାଟନ ହୋଇଛି । ଯେଉଁଠି ହ୍ୱିଲ୍ ଚେୟାର ସୁଇଁ, ଟୁ ସିଟର ସୁଇଂ, ବକେଟ ସୁଇଂ, ମ୍ୟୁଜିକାଲ୍ ପୋଲ, ସାଉଣ୍ଡ ପ୍ଲେ ଭଳି ଅନେକ ଉପକରଣ ରହିଛି । ଦୃଷ୍ଟିହୀନ ପିଲାଙ୍କ ପାଇଁ ବାଦ୍ୟ ଯନ୍ତ୍ର ସହ ବ୍ରେଲି କାନ୍ଥ ରହିବା ସହ ହ୍ୱିଲ୍ ଚେୟାର ସହ ଝୁଲିବା ଲାଗି ଦୋଳି ଭଳି ବ୍ୟବସ୍ଥା ରହିଛି ।

ଏଭଳି ନିଆରା ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ଏକ ସ୍ୱତନ୍ତ୍ର ଏଜେନ୍ସିକୁ ଦିଆଯାଇଛି । ସାଧାରଣ ପିଲାଙ୍କୁ ସେନସୋରି ପାର୍କକୁ ପ୍ରବେଶ ବାରଣ କରାଯାଇଛି । ଆଗକୁ ବ୍ରହ୍ମପୁର ଓ ସମ୍ବଲପୁରରେ ହେବ SIPର ସାଟେଲାଇଟ୍ ସେଣ୍ଟର । ରାଜ୍ୟର ୮ଟି ସ୍ଥାନରେ ପ୍ରତିଷ୍ଠା ହେବ ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ।