ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ଗୁରୁତର

ଯୁଯୁମୁରା: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ ଜମଲୋଇ ଗ୍ରାମରେ ଗୁରୁବାର ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ଗୁରୁତର ହୋଇଛନ୍ତି। ଜମିବାଡ଼ିକୁ କେନ୍ଦ୍ର କରି ଦାଦା ପୂର୍ଣ୍ଣଚନ୍ଦ୍ର ଦେହୁରୀ (୩୦) ଏବଂ ପୁତୁରା ଭାଗବତିଆ ଦେହୁରୀ(୪୦)ଙ୍କ ମଧ୍ୟରେ କିଛି ଦିନ ହେବ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହି ଗଣ୍ଡଗୋଳ ଆଜି ଭୟଙ୍କର ରୂପ ନେଇଥିଲା। ଉଭୟଙ୍କ ମଧ୍ୟରେ ଆଜି ଅପରାହ୍ଣରେ ପୁଣି ଥରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଦାଦା ପୂର୍ଣ୍ଣଚନ୍ଦ୍ର ପୁତୁରା ଭାଗବତିଆଙ୍କ ଉପରେ ଉତ୍ତେଜିତ ହୋଇ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଭାଗବତିଆଙ୍କ ପେଟରେ ଟାଙ୍ଗିଆ ଚୋଟ ଲାଗିବାରୁ ସେଠାରେ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ତାଙ୍କୁ ବୁର୍ଲା ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି। ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରକୁ ଅଟକ ରଖି ପଚାରାଉଚରା କରୁଛି।