ତାଳଚେରର ନିର୍ମାଣାଧୀନ କୋଭିଡ ହସ୍ପିଟାଲର ସମୀକ୍ଷା କଲେ ୫-ଟି ସଚିବ, ଉନ୍ନୟନ କମିସନର

ଭୁବନେଶ୍ୱର: ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିସନର ସୁରେଶ ମହାପାତ୍ର ଆଜି ଅନୁଗୁଳ ଜିଲ୍ଲା ଗସ୍ତ କରି ତାଳଚେର ଠାରେ ନିର୍ମାଣାଧୀନ କୋଭିଡ ହସ୍ପିଟାଲର ଅଗ୍ରଗତି କେମିତି ଚାଲିଛି, ସେନେଇ ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ୨ ଜଣ ବରିଷ୍ଠ ଅଧିକାରୀ ଆଜି ଅପରାହ୍ନରେ ତାଳଚେର ଠାରେ ପହଞ୍ଚି ଥିଲେ । ସେଠାରେ ପହଞ୍ଚିବା ପରେ ନିର୍ମାଣ କାର୍ଯ୍ୟ ସଂପର୍କିତ ସମୀକ୍ଷା କରିଥିଲେ । ଶ୍ରୀ ପାଣ୍ଡିଆନ ଓ ଶ୍ରୀ ମହାପାତ୍ରଙ୍କ ସହିତ ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି, ଏସ୍‌ପି ଜଗମୋନହ ମୀନା ଓ ସିଡିଏମ୍‌ଓ ଡ. ପ୍ରତାପ ବେହେରା ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲାର ତାଲଚେର ଠାରେ ମହାନଦୀ କୋଲଫିଲ୍ଡ ଲିମିଟେଡର ସହାୟତାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ ଚାଲିଛି । ଏଥିରେ ୬ ଆଇସିୟୁ ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୦ ତାରିଖରେ ଏହି ହସ୍ପିଟାଲର ଉଦଘାଟନ ହେବ । ଭୁବନେଶ୍ୱରସ୍ଥିତ ସମ ହସ୍ପିଟାଲ ତାଳଚେର କୋଭିଡ ହସ୍ପିଟାଲକୁ ସେବା ଯୋଗାଇବ । ଏଥିପାଇଁ କିଛି ଡାକ୍ତର ଓ ନର୍ସ ଯୋଗାଇବ । ଏମସିଏଲ ଆର୍ଥିକ ସହଯୋଗ କରିବ । ରାଜ୍ୟ ସରକାର ଅବଶିଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇବେ । ଏନେଇ ଖୁବ ଶୀଘ୍ର ରାଜ୍ୟ ସରକାର, ଏମସିଏଲ ଓ ସମ ହସ୍ପିଟାଲ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ହେବ ।