ତନୁପାତଳୀ ପତ୍ରଲେଖା ‘ଲଭ୍ ଗେମ୍ସ’ ରେ କଣ ଭୁଲ କଲେ ?

ଦୁନିଆରେ ଖୁବ୍ କମ୍ ଲୋକ ଥିବେ ଯେଉଁମାନେ ନିଜ ଭୁଲ୍କୁ ସ୍ୱୀକାର କରିବାର ସାହସ ରଖୁଥିବେ । ଖାସ୍କରି ଫିଲ୍ମ ଦୁନିଆର କଳାକାର । ଏମାନଙ୍କ ମଧ୍ୟରୁ କ୍ୱଚିତ୍ ନିଜ ଭୁଲ୍ ସ୍ୱୀକାର କରୁଥିବାବେଳେ ଆଉ କିଛି ନିଜ ଦୋଷଦୁର୍ବଳତା ଲୁଚାଇବାରେ ମାହିର୍ ଥାନ୍ତି । ଯେଉଁ କେତେଜଣ ନିଜ ଭୁଲ୍ ସ୍ୱୀକାର କରନ୍ତି, ସେମାନଙ୍କୁ ସ୍ପଷ୍ଟବାଦୀ କୁହାଯାଏ । ଆଉ ଏ ତାଲିକାରେ ଏବେ ସ୍ଥାନ ପାଇଛନ୍ତି ବଲିଉଡ୍ର ତନୁପାତଳୀ ପତ୍ରଲେଖା । ଯଦିଓ ଏପର୍ଯ୍ୟନ୍ତ ତାଙ୍କ ଅଭିନୀତ କୌଣସି ଫିଲ୍ମ ବ୍ଲକ୍ବଷ୍ଟର୍ ସାବ୍ୟସ୍ତ ହୋଇନାହିଁ; ତଥାପି ଯେଉଁ କେତୋଟି ଫିଲ୍ମରେ ଆସିଛନ୍ତି ନିଜ ଅଭିନୟ ପ୍ରତିଭାର ଛାପ ଦର୍ଶକଙ୍କ ହୃଦୟରେ ଛାଡ଼ିଯାଇଛନ୍ତି । ବିଶେଷକରି ଏବେ ସେ ନିଜ ସ୍ପଷ୍ପବାଦିତା ପାଇଁ ସମସ୍ତଙ୍କର ପ୍ରିୟ ହେବାରେ ଲାଗିଛନ୍ତି । ଫିଲ୍ମ ‘ସିଟି ଲାଇଟ୍ସ’ ଜରିଆରେ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟର ଏକ ନିଆରା ଝଲକ୍ ଦେଖାଇଥିଲେ ପତ୍ରଲେଖା । ତା’ପରଠୁ ହାତକୁ ଆଉ କୌଣସି ଫିଲ୍ମ ଆସିନଥିଲା । ତେଣୁ ସେ ‘ଲଭ୍ ଗେମ୍ସ’ ଭଳି ଫିଲ୍ମ କରିବାକୁ ବାଧ୍ୟ ହେଲେ । କିନ୍ତୁ ପରେ ବୁଝିଲେ ଏ ନିଷ୍ପତି ତାଙ୍କ କ୍ୟାରିୟର୍କୁ ଆଗକୁ ବଢ଼ିବା ସ୍ଥାନରେ ଲୋକପ୍ରିୟତା ହ୍ରାସ କରିଥିଲା । ଫିଲ୍ମର ଶୁଟିଂ ଚାଲିଥିବାବେଳେ ସେ ଅନୁଭବ କରିଥିଲେ ଏହା ତାଙ୍କ ଜୀବନର ସବୁଠୁ ବଡ଼ ଭୁଲ୍ ନିର୍ଣ୍ଣୟ । ଏହାପରେ ତାଙ୍କୁ ‘ନାନୁ କି ଜାନୁ’ରେ ଦେଖିବାକୁ ମିଳିଲା । ଦର୍ଶକଙ୍କ ହୃଦୟରେ ହଜିଯାଇଥିବା ପତ୍ରଲେଖା ଏବେ ପୁଣି ଏହି ଫିଲ୍ମ ମାଧ୍ୟମରେ ସ୍ଥାନ ପାଇଛନ୍ତି । ଅଭିନୟ କ୍ୟାରିୟର୍କୁ ଏକ ନୂଆ ଦିଗ ଦେବାରେ ସଫଳ ହୋଇଛନ୍ତି । କାରଣ ଅଭିନୟର ପ୍ରକୃତ ଅର୍ଥ ନ ବୁଝି ଯାହା ମିଳିଲା ତାହା କରିବା କ୍ୟାରିୟର୍କୁ ବଡ଼ ଝଟ୍କା ଦେଇପାରେ । ଏମିତି କାମ ଅନେକ ଅଭିନେତା ଅଭିନେତ୍ରୀ କରିଛନ୍ତି । କିନ୍ତୁ ପତ୍ରଲେଖା ଏସମସ୍ତଙ୍କଠୁ ଅଲଗା ବୋଲି ପ୍ରମାଣିତ କରିଦେଲେ