ଟେନିସ୍ ଜଗତରୁ ଅବସର ଘୋଷଣା କଲେ ଏଶ୍ଲେ ବାର୍ଟି

ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ବିଶ୍ଵର ଏକ ନମ୍ବର ମହିଳା ଟେନିସ ଖେଳାଳି ଏଶ୍ଲେ ବାର୍ଟି ଟେନିସରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ନିକଟରେ ବାର୍ଟି ଅଷ୍ଟ୍ରେଲିଆ ଓପନ ଭାବେ ନିଜର ତୃତୀୟ ଗ୍ରାଣ୍ଡ ସ୍ଲାମ ଜିତିଥିଲେ। ବିଶ୍ଵରେ ଏକ ନମ୍ବର ସ୍ଥାନରେ ଥାଇ ବି ୨୫ ବର୍ଷୀୟ ଏଶ୍ଲେ ବାର୍ଟି ସନ୍ନ୍ୟାସ ଘୋଷଣା କରି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛନ୍ତି।

ବାର୍ଟି ନିଜର ଇନଷ୍ଟାଗ୍ରାମରେ ଛଅ ମିନିଟ୍‌ର ଭିଡିଓ ସେୟାର କରି ବୁଧବାର ଏହାର ଘୋଷଣା କରିଛନ୍ତି। ଏହି ସମୟରେ ସେ ବହୁତ ଭାବୁକ ଜଣା ପଡୁଥିଲେ।

ବାର୍ଟି କହିଛନ୍ତି, ମୁଁ ବହୁତ ଖୁସି ଯେ, ମୁଁ ଅବସର ନେବାକୁ ପ୍ରସ୍ତୁତ। ମୁଁ ବର୍ତ୍ତମାନ କେବଳ ନିଜ ହୃଦୟ କଥା ଶୁଣୁଛି ଏବଂ ମୁଁ ଜାଣିଛି ଏହା ମୋ ପାଇଁ ସଠିକ୍ ନିଷ୍ପତ୍ତି। ଏବେ ଅନ୍ୟ ସ୍ଵପ୍ନକୁ ସାକାର କରିବା ପାଇଁ ସମୟ ଆସି ଯାଇଛି। ମୋ ଭିତରେ ସେହି ଶାରୀରିକ ଶକ୍ତି ଏବଂ ଇଚ୍ଛା ଶକ୍ତି ନାହିଁ, ଯାହା ସବୁ ସ୍ତରରେ ନିଜକୁ ଚ୍ୟାଲେଞ୍ଜ କରିବା ପାଇଁ ଆବଶ୍ୟକ ରହିଥାଏ। ପ୍ରଥମ ଥର ବାର୍ଟି ଟେନିସ୍ ଛାଡି ନାହାନ୍ତି। ୨୦୧୧ରେ ୧୫ ବର୍ଷ ବସୟରେ ସେ ଓ୍ଵିମ୍ବିଲଣ୍ଡନ ଜୁନିୟର ଚାମ୍ପିଅନ ହୋଇଥିଲେ। ତାଙ୍କ କ୍ୟାରିୟର ଆଗକୁ ବଢୁଥିଲା। ମାତ୍ର ସେ ୨୦୧୪ରେ ଥକାପଣ, ଚାପ ଏବଂ ଲମ୍ବା ଯାତ୍ରା କାରଣରୁ ଦୁଇ ବର୍ଷ ଯାଏଁ ଟେନିସରୁ ଦୂରେଇ ରହିଥିଲେ। ଏହି ସମୟରେ ସେ ଅଷ୍ଟ୍ରେଲିଆରେ ପେଶାଦାର କ୍ରିକେଟ୍ ଖେଳିବାରେ ଲାଗିଥିଲେ। ମାତ୍ର ପୁଣି ଥରେ ରାକେଟ୍ ଧରି ଟେନିସ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ବାର୍ଟି ତିନୋଟି ଭିନ୍ନ ଭିନ୍ନ କୋର୍ଟରେ ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ସେ ୨୦୧୯ରେ କ୍ଲେ କୋର୍ଟରେ ଫ୍ରେଞ୍ଚ ଓପନ, ଗତ ବର୍ଷ ଗ୍ରାସ କୋର୍ଟରେ ଓ୍ଵିମ୍ବଲଣ୍ଡନ ଏବଂ ଚଳିତ ବର୍ଷ ହାର୍ଡ କୋର୍ଟରେ ଅଷ୍ଟ୍ରେଲିଆ ଓପନ ଜିତିଛନ୍ତି। ସେ ଗତ ୪୪ ବର୍ଷରେ ଅଷ୍ଟ୍ରେଲିଆ ଓପନ ଜିତିବାରେ ପ୍ରଥମ ଅଷ୍ଟ୍ରେଲିଆ ଖେଳାଳି ହେବାର ରେକର୍ଡ କରିଥିଲେ। ଏହା ବ୍ୟତୀତ ତାଙ୍କ ନାମରେ ୧୨ ଡବଲ୍ସ ଟାଟଇଲ୍ ଜିତିବାର ରେକର୍ଡ ରହିଛି। ସେ ମୋଟ୍ ୧୨୧ ସପ୍ତାହ ପର୍ଯ୍ୟନ୍ତ ବିଶ୍ଵରେ ଏକ ନମ୍ବର ମହିଳା ଟେନିସ୍ ରହିଥିଲେ।

ବାର୍ଟି ଗତ ୨୬ଟି ମ୍ୟାଚ୍‌ରୁ ୨୫ଟିରେ ବିଜୟ ହାସଲ କରିଛନ୍ତି। ସେ ନମ୍ବର ଓ୍ଵାନରେ ରହି ଟେନିସରୁ ସନ୍ନ୍ୟାସ ନେବାରେ ଦ୍ଵିତୀୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଜଷ୍ଟିନ ହେନିନ ୨୦୦୮ରେ ଶୀର୍ଷ ସ୍ଥାନରେ ରହି ଟେନିସକୁ ଅଲବିଦା କହିଥିଲେ।