ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏକମାସରୁ କମ ସମୟ ରହିଛି । ଆଉ ଏହି ସମୟରେ ବିଜେଡି ଟିକେଟ ପାଇଁ ନବୀନ ନିବାସରେ ନେତାଙ୍କ ଲମ୍ବା ଲାଇନ ଲାଗିଛି । ଜଣକ ପରେ ଜଣେ ନେତା ଟିକେଟ ପାଇବା ପାଇଁ ଲବିକୁ ଜୋରଦାର କରିଛନ୍ତି । ଆଜି କୋରାପୁଟର ନେତାମାନେ ନବୀନ ନିବାସ ଆସିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଜୟପୁରର ପୂର୍ବତନ ବିଧାୟକ ରବି ନନ୍ଦ । ଟିକେଟ ପାଇଁ ଗତ ୩ ଦିନ ହେଲା ନବୀନ ନିବାସରେ ଭିଡ ଜମୁଛି । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ ତାରିଖରେ ବ୍ରହ୍ମପୁର, କୋରପୁଟ, ନବରଙ୍ଗପୁର ଓ କାଳାହାଣ୍ଡି ଲୋକସଭା ଆସନ ଓ ଏଥି ଅନ୍ତର୍ଗତ ବିଧାନସଭା ଆସନରେ ଭୋଟଗ୍ରହଣ ହେବ । ତେଣୁ ଏହି ଆସନଗୁଡିକର ସମ୍ଭାବ୍ୟ ପ୍ରାର୍ଥୀ ନେଇ ବିଜେଡିରେ ଅଙ୍କକଷା ଚାଲିଛି । ୪ ଲୋକସଭା ଆସନ ଓ ଏଥି ଅନ୍ତର୍ଗତ ୨୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକାରେ ଚୂଡାନ୍ତ ମୋହର ବାଜିବ । ଆସନ୍ତା ୧୮ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ମୁଖ୍ୟମନ୍ତ୍ରୀ ବି କହିସାରିଛନ୍ତି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ ମିଳିବ । ତେଣୁ ନବୀନ ନିବାସରେ ନେତାଙ୍କ ଭିଡ ଲାଗିଛି ।ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆସନ୍ତା ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଆଉ କିଛି ଦିନ ମଧ୍ୟରେ ସମସ୍ତ ଦଳ ପ୍ରାର୍ଥୀ ମାନଙ୍କ ତାଲିକା ଘୋଷଣା କରିବେ । ତେବେ ଏଥର ଲଢ଼େଇ ଧୂଆଁଧାର ହେବ ବୋଲି ରାଜନୀତି ବିଶେଷଜ୍ଞ ଓ ବିଭନ୍ନ ସର୍ଭେ ରିପୋର୍ଟ କହୁଛି । ସେପଟେ ରାଜ୍ୟରେ ବିରୋଧୀ ଧିରେ ଧିରେ ଶକ୍ତିଶାଳୀ ହେଉଥିବାରୁ ଏହାକୁ ଗୁରୁତ୍ୱର ସହ ନେଇ ଶାସକ ବିଜେଡି ଯୋଗ୍ୟ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଶୁଣିବାକୁ ମିଳୁଛି । ତେଣୁ ବିଜେଡି ପ୍ରସ୍ତୁତ ରହିଛି ଏବଂ ଖୁବଶୀଘ୍ର ପ୍ରର୍ଥୀ ତାଲିକା ଘୋଷଣା କରିବ ବୋଲି ବିଜେଡି ସୁପ୍ରିମୋ ସ୍ପଷ୍ଟ କରିଛନ୍ତି ।
Prev Post
Next Post