ଝରିଗାଁ ନିକଟରେ ଅଟୋ-ବାଇକ ଧକ୍କା ୨ ମୃତ

ଝରିଗାଁ : ଝରିଗାଁରୁ ପ୍ରାୟ ୮କିମି ଦୂର ଉମରକୋଟ ରାସ୍ତାର ଧନପୁର ନିକଟରେ ଅଟୋ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଦୁହେଁ ଝରିଗାଁ ନିକଟସ୍ଥ ସିରାଗୁଡାର ଖଗେଶ୍ୱର ଗୌଡ(୨୬) ଏବଂ ଉମରକୋଟର ଟୁନା ହରିଜନ(୨୮) ବୋଲି ଜଣାପଡିଛି। ଆଜି ରାତି ପ୍ରାୟ ୯ଟା ବେଳେ ଏହି ଧକ୍କା ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଝରିଗାଁରେ ବାହୁଡା ଯାତ୍ରା ଦେଖି କିଛି ଲୋକ ଅଟୋ(ଓଆର ୨୪ବି ୭୩୩୯)ରେ ଉମରକୋଟ ଫେରୁଥିବା ବେଳେ ଧନପୁର ନିକଟରେ ଉମରକୋଟରେ ବାହୁଡା ଯାତ୍ରା ଦେଖି ଝରିଗାଁର ସିରାପୁରକୁ ବାଇକ୍ ( ଓଡି୨୪-୯୪୮୭) ରେ ଫେରୁଥିବା ଦୁଇ ଯୁବକଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଅଟୋ ମଝିରେ ବସିଥିବା ଟୁନା ହରିଜନଙ୍କ ମୃତ୍ୟୁ ଘଟିଥିଲା।
ସେହିଭଳି ବାଇକ୍ରେ ବସିଥିବା ଖଗେଶ୍ୱର ଗୌଡ ଏବଂ ଶ୍ରୀଧର ଗୌଡଙ୍କୁ ୧୦୮ ଆମ୍ବୁଲାନସରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ଆଶୁତୋଷ ପାତ୍ର ଖଗେଶ୍ୱରଙ୍କୁ ମୃତ ଘୋଷଣା କରିଥିବା ବେଳେ ଶ୍ରୀଧରଙ୍କ ଗୋଡ ଏବଂ ମୁଣ୍ଡରେ ଆଘାତ ହୋଇଥିବାରୁ ଗୁରୁତର ହୋଇଥିବା ଜଣାପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିବା ସହ ତଦନ୍ତ କରୁଥିବା ଜଣାପଡିଛି।