ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଧାୟକ ପ୍ରଶାନ୍ତ ଓରଫ୍‌ ଗଣେଶ ଜଗଦ୍ଦେବ ଆଜି ବାଣପୁର ସବ୍-ଜେଲରୁ ମୁକୁଳିଛନ୍ତି । ବିଧାୟକଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ମାତ୍ର ୭ ଦିନ ଅର୍ଥାତ ଏକ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ ପରେ ସେ ଆଜି ସାମୟିକ ଭାବେ ଜେଲରୁ ମୁକୁଳିଛନ୍ତି । ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ସାତ ଦିନ ପାଇଁ ବିଧାୟକଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।

ସୂଚନା ଥାଉକି, ବାଣପୁର ବ୍ଲକ ସମ୍ମୁଖରେ ୧୨ ତାରିଖ ସକାଳେ ୨୦ଜଣରୁ ଅଧିକ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିରୁ ବାଦ୍‌ ପଡିଲେନି ଥାନାଅଧିକାରୀ କି ସାଧାରଣଲୋକ । ପରିସ୍ଥିତି ଏପରି ହେଲା କି ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହେଲେ ବାହୁବଳୀ ବିଧାୟକ । ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ନିର୍ଘାତିଆ ଛେଚିଲେ, ଦାମୀ କାର୍‌କୁ ଭାଙ୍ଗିରୁଜି ଚୁର୍‌ମାର କରିଦେଲେ । ଗୁରୁତର ଅବସ୍ଥାରେ ବିଧାୟକଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ କିଛି ଦିନ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା । ପରେ ମେଡିକାରୁ ଡିସଚାର୍ଜ ହେବା ପରେ ପୋଲିସଙ୍କୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଥିଲା ।