ଜିଏସ୍ଟିକୁ ବିରୋଧ: ତାମିଲନାଡୁରେ ପାଖାପାଖି ୧୦୦୦ ସିନେମା ହଲ୍ ବନ୍ଦ

ଚେନ୍ନାଇ: ଆଜିଠାରୁ ତାମିଲନାଡୁରେ ପାଖାପାଖି ୧୦୦୦ ସିନେମା ହଲ୍ ବନ୍ଦ ରହିଛି। ଚଳଚ୍ଚିତ୍ର ବ୍ୟବସାୟ ଉପରେ ୨୮% ଜିଏସ୍ଟି ସହିତ ରାଜ୍ୟ ସରକାର ୩୦% ପ୍ରମୋଦ କର ବସାଇବାରୁ ସିନେମା ପ୍ରେକ୍ଷାଳୟ ମାଲିକମାନେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛନ୍ତି। ଶୁକ୍ରବାର ଦିନ ହଲ୍ ମାଲିକମାନେ ଧର୍ମଘଟ କରିବାକୁ ଧମକ ଦେଇଥିଲେ। ତାହା ନ କରିବାକୁ ପ୍ରବର୍ତ୍ତାଇ ରବିବାର ଦିନ ପ୍ରଯୋଜକମାନେ ଡାକିଥିବା ଏକ ଆଲୋଚନା ଶେଷ ମୁହୂର୍ତ୍ତରେ ବିଫଳ ହୋଇଥିଲା। ତାମିଲନାଡୁ ସିନେମା ଥିଏଟର୍ ଓନର୍ସ୍ ଫେଡେରେସନ୍ର ସଭାପତି ଅବିରାମି ରାମନାଥନ କହିଛନ୍ତି ଯେ, ଦ୍ୱିସ୍ତରୀୟ କର ବ୍ୟବସ୍ଥା ସଂକ୍ରାନ୍ତରେ ସେମାନଙ୍କୁ ଶୁକ୍ରବାର ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଜଣାଯାଇ ନ ଥିଲା। ରାଜ୍ୟର ୧୦ ଲକ୍ଷ ଲୋକଙ୍କ ଜୀବିକା ଚଳଚ୍ଚିତ୍ର ବ୍ୟବସାୟ ଉପରେ ନିର୍ଭରଶୀଳ।