ଜଗଦେବ ବିଜେଡିରେ ନାହାନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ବିଜେଡି

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବେ ଦଳରେ ନାହାନ୍ତି ଏବଂ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତକାଲି ଠାରୁ ବିଜେଡି ଦାବି କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଚିଲିକା ବିଧାୟକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଆଜି ଓଡିଶା ବିଜେପି ତାହାର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି । ଗତକାଲି ଆମେ ମଧ୍ୟ ଏହି ଦାବି କରିସାରିଛୁ ଯେ ପୋଲିସ ଦ୍ୱାରା ଅଭିଯୁକ୍ତଙ୍କ ବିରୋଧରେ ଦୃଢ ତଥା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଏହା ଜାଣିବା ସତ୍ତ୍ୱେ ଏହି ବର୍ବର ଘଟଣାକୁ ରାଜନୀତିକରଣ କରିବାକୁ ବିଜେପି ଅନାବଶ୍ୟକ ଭାବରେ ବିଜେଡିକୁ ଟାଣିବାକୁ ଯେଭଳି ଚେଷ୍ଟା କରୁଛି ତାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ । ଏହି ବର୍ବର ଘଟଣାକୁ ନେଇ ରାଜନୀତି କରିବାର ପ୍ରୟାସକୁ ଏଡାଇବାକୁ ହେବ । ଏହି ପ୍ରସଙ୍ଗରେ ଆମେ ରାଜନୀତି କରିବା ଉଚିତ୍‍ ନୁହେଁ ବୋଲି ବିଜେପି ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ବ୍ୟକ୍ତିଗତ ଭାବେ କହିଛନ୍ତି ।

ଆମେ ଓଡିଶା ବିଜେପିକୁ ମନେ ପକାଇବାକୁ ଚାହୁଁଛୁ ଯେ ଯେତେବେଳେ ସେମାନଙ୍କ ଦଳ ଶାସନ କରୁଥିବା ରାଜ୍ୟରେ ଏହିଭଳି ସମାନ ଘଟଣା ଘଟିଥିଲା, ସେତେବେଳେ ସେମାନେ ସେହି ପ୍ରସଙ୍ଗକୁ ରାଜନୀତିକରଣ ନ କରିବାକୁ ନିବେଦନ କରିଥିଲେ ଏବଂ ଆଇନକୁ ତା ବାଟରେ କାର୍ଯ୍ୟ କରିବାକୁ ଦିଅନ୍ତୁ ବୋଲି କହିଥିଲେ । କିନ୍ତୁ ଓଡିଶା ବିଜେପି ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଉ ଏକ ଆଭିମୁଖ୍ୟ ଗ୍ରହଣ କରୁଛି । ଏହିପରି ସମ୍ବେଦନଶୀଳ ପ୍ରସଙ୍ଗରେ ଦୋମୁହାଁ ନୀତି ନ ଆପଣେଇବାକୁ ଆମେ ଓଡିଶା ବିଜେପିକୁ ନିବେଦନ କରୁଛୁ । ଚଲି ିକା ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ ଗତକାଲି ଏକ ବିବୃତ୍ତି ଜାରି କରିସାରିଛି ଏବଂ ଆଇନ୍ ଅନୁଯାୟୀ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବ ବୋଲି ଆମେ ନିଶ୍ଚିତ । ଆସନ୍ତୁ ସମସ୍ତେ ଆଇନ୍‍କୁ ତା’ ବାଟରେ କାର୍ଯ୍ୟ କରିବାକୁ ଦେବା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର ।