ଚିକିତ୍ସା ଅବସ୍ଥାରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଦୁଃଖଦାୟକ ଓ ଗଭୀର ଚିନ୍ତାଜନକ : ଧର୍ମେନ୍ଦ୍ର ପ୍ରଧାନ

ନୀଳଗିରିରେ ସାମ୍ବାଦିକଙ୍କୁ ପୋଲିସର ଦୁଃବ୍ୟବହାର ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସହିତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଦୁଃଖଦାୟକ ଓ ଗଭୀର ଚିନ୍ତାଜନକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଓଡ଼ିଶାରେ ବିଗତ କିଛି ଦିନ ମଧ୍ୟରେ ମାଲକାନଗିରିରେ ସାମ୍ବାଦିକ ମାନଙ୍କୁ ପୋଲିସର ଦୁଃବ୍ୟବହାର କିମ୍ବା ନିର୍ବାଚନ ସମୟରେ ଯାଜପୁର, ପିପିଲି ତଥା ଅନେକ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ଗଣତନ୍ତ୍ରରେ ଭିନ୍ନ ମତକୁ ସମ୍ମାନ ଦେବାକୁ ପଡ଼େ । କିନ୍ତୁ ଏକ ପେଶାଦାର ଅପରାଧୀ ଭଳି ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ସୁସ୍ଥ ସମାଜରେ ଆଦୌ ଗ୍ରହଣୀୟ ନୁହେଁ ।

ପୋଲିସ ପ୍ରଶାସନ ଉପରେ ସାଧାରଣ ଲୋକଙ୍କର ଭରସା ରହିଥାଏ । ଏହି ଭରସା ବଜାୟ ରଖିବାକୁ ହେଲେ ଉଚ୍ଚପଦସ୍ଥ ଅଧିକାରୀ ମାନେ ସଠିକ୍ ଭାବରେ ତଦନ୍ତ କରି ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କହିଛନ୍ତି ।